Unknown

 

 

 

 

 

 

 

 

 

 

କବି ଭୀମା ଧୀବର ଓ କପଟ ପାଶା

(ଚିନ୍ତା ଚେତନା ଓ ଜୀବନ)

ଭାଗିରଥି ନେପାକ

 

ବିଷୟ ସୂଚୀ

 

୧.

କପଟ ପାଶାର କବି ଭୀମ

୨.

ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତାମତ ଉଦ୍ଧାର

୩.

ଭୀମାଧୀବର ଓ କପଟପାଶା

୪.

କପଟପାଶାର ବିଶେଷତ୍ଵ

୫.

ଭୀମା ଧୀବରଙ୍କ ସୃଜନଶକ୍ତି ଓ ବ୍ୟକ୍ତିତ୍ୱ

୬.

କପଟପାଶାର ଲୋକପ୍ରିୟତା

୭.

ଉପମା ଓ ଉପମେୟର ଯଥାର୍ଥ ପ୍ରୟୋଗ–

୮.

ଦୁଇଟି ଲୋକପ୍ରିୟ ଉପାଖ୍ୟାନ–

୯.

ଶାଶ୍ଵତ ଧର୍ମ ବିଶ୍ଵାସ-ଭାଗ୍ୟ ଓ ଭଗବାନ ବିଶ୍ଵାସ-ଭାତୃ ବତ୍ସଳତା

୧୦.

କପଟପାଶା : ପରିବେଶ

୧୧.

କପଟପାଶାର ବୈଶିଷ୍ଟ

୧୨.

ଯାଦୁକରୀ ଭାଷା–କଥାବସ୍ତୁ

୧୩.

କୃଷ୍ଣଭକ୍ତ ଭୀମାଧୀବର

୧୪.

ସାମାଜିକ ନରନାରୀ ସମ୍ପର୍କ ତଥା ବିଧି ଓ ନିଷେଧ ବ୍ୟାଖ୍ୟା

୧୫.

ଆଉ କେତୋଟି ପ୍ରସଙ୍ଗ

୧୬.

ଐତିହାସିକ ପୃଷ୍ଠଭୂମି

୧୭.

ଉପସଂହାର

 

ଭୀମା ଧୀବର ଓ କପଟପାଶା

 

ଭୀମ ଧୀବର ସପ୍ତଦଶ ଶତାବ୍ଦୀରେ ରେଢ଼ାଖୋଲଠାରେ ଜନ୍ମଗ୍ରହଣ କରିଥିବା ଜଣାଯାଏ । ସେ ଜାତିରେ ଧୀବର ଥିଲେ ।

 

ଭୀମାଧୀବରଙ୍କ ପ୍ରଣୀତ “କପଟପାଶା” ଓ ‘ଭାରତ ସାବିତ୍ରୀ’ ଓଡ଼ିଆ ସାହିତ୍ୟରେ ବିଶିଷ୍ଟ ଗଣସାହିତ୍ୟ ଭାବରେ ସ୍ୱୀକୃତ । କପଟପାଶା ଓଡ଼ିଶାର ସର୍ବତ୍ର ଆଦୃତ ଓ ପଠିତ ।

 

କପଟପାଶା ପରିଚୟ :

 

ଏଥିରେ ସର୍ବମୋଟ ଦଶଟି ଛନ୍ଦ ରହିଛି । ବିଭିନ୍ନ ରାଗରାଗିଣୀରେ ଏହା ରଚିତ । ପ୍ରଥମ ଛାନ୍ଦ ନଳିନୀ ଗୌଡ଼ା, ଦ୍ଵିତୀୟ ଛାନ୍ଦ ବଙ୍ଗଳାଶ୍ରୀ, ତୃତୀୟ ଛାନ୍ଦ ଚୋଖି, ଚତୁର୍ଥ ଛାନ୍ଦ ରଣବିଜେ, ପଞ୍ଚମ ଛାନ୍ଦ ଚକ୍ରକେଳି, ଷଷ୍ଠ ଛାନ୍ଦ ଚିନ୍ତାଦେଶାକ୍ଷ, ସପ୍ତମ ଛାନ୍ଦ କାଳି, ଅଷ୍ଟମ ଛାନ୍ଦ ପାହାଡ଼ିଆ କେଦାର ରାଗରେ ରଚିତ ।

 

କପଟପାଶାରେ ମହାଭାରତର ଯୁଧିଷ୍ଠିର ଦୁର୍ଯ୍ୟୋଧନ ମଧ୍ୟରେ ହୋଇଥିବା କପଟପାଶା ବା କପଟପଶା ଖେଳର ସେହି ବିଶିଷ୍ଟ ଅଧ୍ୟାୟର ଅବତାରଣା କରାଯାଇଛି । ବିଲଙ୍କା ଦେଶର ରାଜା ମନୁ ଅଗସ୍ତିଙ୍କ ମୁହଁରୁ ଯୁଧିଷ୍ଠିର ମହାରାଜା କପଟପଶା ଖେଳରେ ଦୁର୍ଯ୍ୟୋଧନ ନିକଟରେ ପରାସ୍ତ ହେବାପରେ ଦୁର୍ଯ୍ୟୋଧନ ପ୍ରତିହିଂସା ପରାୟଣ ହୋଇ କଣ କଣ କରିଥିଲା, ସେ ବିଷୟରେ ପ୍ରଶ୍ନ କରିଛନ୍ତି ଓ ଅଗସ୍ତିଋଷି ପଶାଖେଳ ପରର ସମସ୍ତ ଘଟଣା ବର୍ଣ୍ଣନା କରିଅଛନ୍ତି-

 

ପ୍ରଥମ ଛାନ୍ଦରେ ସେ ଗଣେଶ ଓ ସାରଳାଙ୍କୁ ସ୍ମରଣ କରିବା ସଙ୍ଗେ ସଙ୍ଗେ କପଟପାଶ ଗ୍ରନ୍ଥ ରଚନାର ସୂଚନା ଦେଇଛନ୍ତି । ଶୁଦ୍ରମୁନି ସାରଳା ଦାସଙ୍କ ପରି ସେ ଝଙ୍କଡ଼ ସାରଳାଙ୍କୁ ନମସ୍କୃତି ଜଣାଇ କହିଛନ୍ତି,

 

କୁରୁପତି ଯୁଧିଷ୍ଠିର ପଶାଖେଳ ରସ ।

ମହିମାକୁ ଇଚ୍ଛା ଛାନ୍ଦ ପ୍ରତିବନ୍ଧ ଭାଷ ଯେ ॥

ବନ୍ଦଇ ମା ଶାରଦା ଝଙ୍କଡ଼ପୁର ବାସୀ ।

ତୋର ଆଜ୍ଞା ହେଲେ ମୂର୍ଖ ପଣ୍ଡିତରେ ମିଶି ଗୋ ॥

Image

 

କପଟପାଶାର ବିଶେଷତ୍ଵ

 

କପଟପାଶା କ୍ଷୁଦ୍ରକାୟ ହେଲେ ମଧ୍ୟ ଓଡ଼ିଆ ଭାଷାରେ ଏକ ଅନନ୍ୟ ସାଧାରଣ ଗ୍ରନ୍ଥ ରୂପେ ବିବେଚିତ ହୋଇଥାଏ । ଅନ୍ୟାନ୍ୟ ପୁରାଣମାନଙ୍କ ପରି କପଟପାଶା ଏକ ସାମାଜିକ ସାହିତ୍ୟ ରୂପେ ଗ୍ରହଣୀୟ । ଏହା ଜନସାଧାରଣଙ୍କ ଭିତରେ ସାକ୍ଷରତା ପ୍ରସାର ପାଇଁ ସହଜ ପ୍ରେରଣା ଯୋଗାଇ ଥାଏ । ପୁଣି ସମାଜରେ ନୈତିକ ଚେତନା ଜାଗ୍ରତ କରି ରଖିବା ଦିଗରେ ସହାୟକ ହୋଇଥାଏ ।

 

ଏହାର ସହଜ, ସରଳ, ବୋଧଗମ୍ୟ ଭାଷାହିଁ ପାଠକ ପାଠିକାମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ରୂପେ ବିବେଚିତ । ପୁଣି ଏହାର ବିଭିନ୍ନ ରାଗରାଗିଣୀ ଅତ୍ୟନ୍ତ ଉପାଦେୟ ଓ ଆକର୍ଷଣୀୟ ହୋଇଉଠିଛି । ଏହି କାରଣରୁ ଓଡ଼ିଶାର ଗ୍ରାମ ଓ ନଗରମାନଙ୍କରେ କପଟପାଶା ପ୍ରତ୍ୟହ ଗାନ କରାଯାଇଥାଏ । ଉଭୟ ଶିକ୍ଷା ଓ ଚିତ୍ତବିନୋଦ ପାଇଁ ଏହା ଏକ ମାଧ୍ୟମ ରୂପେ ଗୃହୀତ । ସରଳ କୃଷକ ଓ ନଗରବାସୀ ଦୈନନ୍ଦିନ ଜୀବନର ସଂଗ୍ରାମ ଶେଷରେ ନିଜ ମନକୁ ରସାଣିତ କରିବା ପାଇଁ ଓ ରୂଢ଼ ବାସ୍ତବତାକୁ ଭୁଲି ଯିବା ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ କରେ, ଯେଉଁଠି ଦୈନନ୍ଦିନ ଜୀବନର ବିସ୍ଫୋରକ ପରିସ୍ଥିତି ନଥିବ । ତେଣୁ ସେ ପୁରାଣର କଳ୍ପିତ ନାୟକ ନାୟିକାମାନଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଭଲପାଏ । ପୁଣି ସେହି ନାୟକନାୟିକାମାନେ ଅସମ୍ଭବ ଘଟଣାକୁ ସମ୍ଭବ କରି ପାରୁଥିବା ଶୁଣି ମନ ମଧ୍ୟରେ ଆମୋଦ ଲାଭ କରିଥାଏ ।

 

ମହାଭାରତର ଚର୍ଚ୍ଚା ଓଡ଼ିଶାରେ ସବୁଠୁ ଅଧିକ ପରିମାଣରେ ହୋଇଥାଏ । ଓଡ଼ିଆରେ ଲେଖା ହୋଇଥିବା ମହାଭାରତ ସଂଖ୍ୟା ପାଞ୍ଚ । ତନ୍ମଧ୍ୟରୁ ସେ କୌରବ ଓ ପାଣ୍ଡବ ଭାଇମାନଙ୍କ ମଧ୍ୟରେ ହୋଇଥିବା କପଟପାଶା ଖେଳକୁ ଉପଜୀବ୍ୟ ରୂପେ କାହିଁକି ଗ୍ରହଣ କଲେ, ସେ କଥା ଚିନ୍ତା କଲେ ବିସ୍ମିତ ହେବାକୁ ପଡ଼େ । ମନେ ହୁଏ, ତାଙ୍କ ସମୟରେ ରେଢ଼ାଖୋଲ ଅଞ୍ଚଳରେ ପଶାଖେଳ ବହୁ ପରିମାଣରେ ପ୍ରଚଳିତ ଥିଲା । ପଶାଖେଳ ଖେଳି ଲୋକେ କର୍ମକୁଢ଼ ହେବା ସଙ୍ଗେ ସଙ୍ଗେ ସର୍ବସ୍ଵାନ୍ତ ପାଲଟି ଯାଉଥିଲେ । ତେଣୁ ଯୁଧିଷ୍ଠିରଙ୍କ ପଶାଖେଳ ଆଖ୍ୟାନର ପୁନରାବୃତ୍ତି କରି ସେ ଲୋକମାନଙ୍କୁ ପଶାଖେଳର କୁପରିଣତି ସମ୍ପର୍କରେ ସଚେତନ କରି ଦେବାକୁ ମନ ବଳାଇଥିଲେ । ଏଥିପାଇଁ ସେ ‘ଶିକ୍ଷକ କବି’ ରୂପେ ଗୃହୀତ ହୋଇଥାନ୍ତି ।

Image

 

ଭୀମାଧୀବରଙ୍କ ସୃଜନ ଶକ୍ତି ଓ ବ୍ୟକ୍ତିତ୍ୱ

 

ପ୍ରଥମ ଛାନ୍ଦରେ ସେ କହିଛନ୍ତି,

କୁରୁପତି ଯୁଧିଷ୍ଠିର ପଶାଖେଳ ରସ

କହିବାକୁ ଇଚ୍ଛା ଛାନ୍ଦ ପ୍ରତିବନ୍ଧ ଭାଷ ଯେ

ବନ୍ଦଇ ମା ଶାରଦା ଝଙ୍କଡ଼ପୁର ବାସୀ

ତୋର ଆଜ୍ଞାହେଲେ ମୂର୍ଖ ପଣ୍ଡିତରେ ମିଶି ।

 

ପୁଣି ଦ୍ଵିତୀୟ ଛାନ୍ଦରେ କହିଛନ୍ତି–

 

“ଶୁଣ ହେ ସୁଜନ ଜନ ମୁଁ ଛାର ପାମରହୀନ କହିବାକୁ

ଯୋଗ୍ୟ ନିକି ମହାଭାରତ ।

ଅର୍ଥକୁ ଅର୍ଥ ମିଶାଇ, ପଦକୁ ପଦ ପକାଇ

ଛାନ୍ଦ ପ୍ରବନ୍ଧରେ ମୁଁ କଲଇଁ ଗୀତ

ସାଧୁଜନେ ନ ଘେନ ଦୋଷ

କହେ ହୀନ ଭୀମା କୃଷ୍ଣ ଚରଣେ ଆଶ”

 

ଦଶମ ଛାନ୍ଦ ଅର୍ଥାତ୍‍ କପଟପାଶାର ସର୍ବଶେଷ ଛାନ୍ଦର ସର୍ବଶେଷ ପଦ ହେଲା,

 

“ଏ ଯେ କପଟପାଶା ଅମୃତ ରସ ଯେ ।

ସୁଜନ ଜନେ ଏହି ରସରେ ରସ ହେ ।

ନୁହ ମହତ ଜାତି କୈବର୍ତ୍ତ

ଶୁଦ୍ଧ ଅଶୁଦ୍ଧ ନ ଘେନା ଚିତ୍ତ

କହଇ ଭୀମା ପ୍ରଭୁ ଚରଣେ ସର୍ବଦା ଆଶ ହେ ।’’

 

ଉପର ଲିଖିତ ଉଦ୍ଧୃତିମାନଙ୍କରେ କବି ନିଜ ବିନୟ ଭାବକୁ ହିଁ ପ୍ରକଟିତ କରିଥିବା ଜଣାଯାଏ ।

 

ତାଙ୍କ ସମୟରେ ଉଚ୍ଚଜାତିର ପଣ୍ଡିତମାନେ ହିଁ କାବ୍ୟ ପୁରାଣ ଆଲୋଚନା ତଥା ରଚନା କରିବା ବିଧିଥିଲା । କିନ୍ତୁ ଭୀମ କୈବର୍ତ୍ତ ଜାତିରେ ଜନ୍ମହୋଇ ‘କପଟପାଶା’ ରଚନା କରୁଥିବାରୁ ସଂକୋଚ ବୋଧ କରିଥିଲେ । ତେଣୁ ସେ ବିନୟ ସହକାରେ କହିଛନ୍ତି, ମୁଁ ମହାଭାରତ କଥା କହିବାକୁ (ଲେଖିବାକୁ) ଯୋଗ୍ୟବ୍ୟକ୍ତି ନୁହେଁ । ଅର୍ଥକୁ ଅର୍ଥ ମିଶାଇ, ପଦକୁ ପଦ ପକାଇ (ଯୋଡ଼ି) ଛାନ୍ଦ ପ୍ରବନ୍ଧରେ ଏ ଗୀତ ରଚନା କରିଛି । ହେ ସାଧୁଜନମାନେ, ମୋର ଦୋଷ ବାଛିବ ନାହିଁ । କାରଣ ମୁଁ ମହାଭାରତର ସୁଧାସମ ‘କପଟପାଶା’ ଚରିତ ପରିବେଷଣ କଲି ।

 

ସୁଧା ବା ଅମୃତ ଯେ କୌଣସି ବ୍ୟକ୍ତି ହସ୍ତରୁ ଗ୍ରହଣୀୟ । ଉଚ୍ଚନୀଚ ଯେ କୌଣସି ଜାତିର ଲୋକ ହାତରେ ଏହା ଥାଉନା କାହିଁକି, ଜାତି ଗୁଣରୁ ଅମୃତର ଅମୃତତ୍ଵ ବଦଳିଯାଏ ନାହିଁ ।

 

ସର୍ବଶେଷରେ ସେ କପଟପାଶାର ଶୁଦ୍ଧ ଅଶୁଦ୍ଧ ଶବ୍ଦ ସଂଯୋଜନାର ବାଛବିଚାର ନ କରି, ଏହାର ଭାବ ଓ ରସକୁହିଁ ଆସ୍ଵାଦନା କରିବାକୁ ବିନମ୍ର ନିବେଦନ ଜ୍ଞାପନ କରିଅଛନ୍ତି ।

 

‘ନମ୍ରନ୍ତି ଫଳିନୋ ବୃକ୍ଷାଃ’ ନ୍ୟାୟରେ ଏତଦ୍ଵାରା ଜ୍ଞାନୀ ଭୀମାଧୀବରଙ୍କ ମହତଗୁଣର ପରିଚୟ ମିଳୁଛି । କପଟପାଶାରେ ତାଙ୍କର ସ୍ପଷ୍ଟୋକ୍ତି ତାଙ୍କ ବ୍ୟକ୍ତିତ୍ୱକୁ ମହନୀୟ କରି ତୋଳିଛି ।

 

ଧିବରମାନେ ସାଧାରଣତଃ ମାଛମାରି କୁଟୁମ୍ବ ପରିପୋଷଣ କରିଥାନ୍ତି । ଭୀମାଧୀବର ଏଭଳି କର୍ମରେ ନିଜକୁ ନିୟୋଜିତ କରିବା ସଙ୍ଗେ ସଙ୍ଗେ, କାବ୍ୟ ପୁରାଣ ଚର୍ଚ୍ଚାରେ ସମୟ ଅତିବାହିତ କରୁଥିବା ଜଣାଯାଏ । ଏ କ୍ଷେତ୍ରରେ ସେ ମହାଭାରତ ବର୍ଣ୍ଣିତ ‘ଧର୍ମ ବ୍ୟାଧର’ ପ୍ରତୀକ ଥିଲେ । ପୁରାଣ ଚର୍ଚ୍ଚାରୁ ସେ ଯେଉଁ ଅନାବିଳ ଆନନ୍ଦ ଆହରଣ କରୁଥିଲେ, ତାହା ନିଜ ମଧ୍ୟରେ ଆବଦ୍ଧ ନ ରଖି, ଜନସାଧାରଣଙ୍କ ମଙ୍ଗଳ ବିଧାନ ନିମନ୍ତେ ଗ୍ରନ୍ଥ ରଚନା ମାଧ୍ୟମରେ ବିତରଣ କରି ଯାଇଛନ୍ତି ।

 

କପଟପାଶାର ବିବିଧ ରାଗରାଗିଣୀରୁ ପ୍ରତିପାଦିତ ହୁଏ ଯେ, ଭୀମାଧୀବର କେବଳ ଜଣେ ଜ୍ଞାନୀ ପୁରୁଷ ନ ଥିଲେ, ସଙ୍ଗୀତ ଚର୍ଚ୍ଚାରେ ମଧ୍ୟ ଧୁରନ୍ଧର ଥିଲେ । ତେଣୁ କପଟପାଶା କେବଳ ପାଠ କରିବା ପାଇଁ ନୁହେଁ, ଗାନ କରିବା ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ ଗ୍ରନ୍ଥ ରୂପେ ବିବେଚିତ ହୋଇଥାଏ ।

 

କବି ଭୀମାଧୀବରଙ୍କ ସମୟରେ ଛନ୍ଦୋବଦ୍ଧ ଗୀତର ପ୍ରଚଳନ ଥିଲା । ତେଣୁ କାଳ ନିୟମକୁ ସମ୍ମାନ ଦେଇ ସେ ପଦକୁ ପଦ ଯୋଡ଼ି, ଅର୍ଥ ଉପରେ ତୀକ୍ଷ୍‍ଣ ନଜର ଦେଇ ପ୍ରଚଳିତ ପଦ୍ଧତିରେ ଗ୍ରନ୍ଥ ରଚନା କରିଥିବା ସ୍ଵୀକାର କରିଅଛନ୍ତି ।

 

ଏହାର ଚତୁର୍ଥ ଛାନ୍ଦରେ ସାଧାରଣ ନରନାରୀର ସମ୍ପର୍କ ଓ ଆଚରଣ ବିଧି ଉପରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

 

ନାରୀ ଜାତିର ଅବମାନନାଦ୍ଵାରା ଯେ ଧର୍ମର ଅବମାନନା ହୋଇଥାଏ ଏ କଥା କବି ଭୀମାଧୀବର କପଟପାଶାର ଦଶମ ଛାନ୍ଦରେ ବର୍ଣ୍ଣନା କରିଅଛନ୍ତି । ପିତାମହ ଭୀଷ୍ମଙ୍କ ମୁଖରେ ନାରୀ ଜାତିକୁ ହୀନିମାନ ଆଖିରେ ନ ଦେଖିବାକୁ ଉପଦେଶ ଦିଆ ଯାଇଛି ।

 

ପୁଣି ସତୀ ଦ୍ରୌପଦୀଙ୍କ କୋପ ଦ୍ରୁଷ୍ଟିରେ ପଡ଼ି ହସ୍ତୀନାପୁରର ରାଣୀହଂସପୁର ଦହନ ହେବା ଓ ଦୁର୍ଯ୍ୟୋଧନଙ୍କ ପାଟରାଣୀ ଭାନୁମତି ବିବସ୍ତ୍ରା ଅବସ୍ଥାରେ କୁରୁସଭା ସ୍ଥଳୀରେ ଉପସ୍ଥିତ ହେବା ଦେଖି, ସଭାରେ ଉପସ୍ଥିତଥିବା ଅନ୍ୟ ରାଜାମାନେ ମୁଖରେ ଲୁଗାଦେଇ ହସିବା ବର୍ଣ୍ଣନା ଅତ୍ୟନ୍ତ ମର୍ମ୍ମସ୍ପର୍ଶୀ ହୋଇ ପାରିଛି । ଏଥିରେ ଧର୍ମପ୍ରାଣ ଭୀମ, ‘ପାପର କ୍ଷୟ; ପୁଣ୍ୟର ଜୟ’ ପ୍ରସଙ୍ଗର ଆବତାରଣା କରିବା ସଙ୍ଗେ ସଙ୍ଗେ ଈଶ୍ଵର-ପରାୟଣତାର ଦୃଷ୍ଟାନ୍ତ ଦେଇ କହି ଅଛନ୍ତି–

 

“ପରକୁ ଯେହୁ ଚିନ୍ତଇ ମନ୍ଦ, ତାହାକୁ ମନ୍ଦ ଚିନ୍ତେ ଗୋବିନ୍ଦ

ଅନ୍ତ କାଳରେ ସେହି ଲଭଇ ଅତି କଷଣ ହେ ।’’

 

ଏ ବାକ୍ୟ ହିନ୍ଦୁର ଶାଶ୍ଵତ ବାଣୀ ଅଟେ । ଏକ୍ଷାରି ଉପରେ ହିନ୍ଦୁ ଗୃହସ୍ଥର ନୀତି ଅନୀତି ବିଚାର ନିର୍ଭର କରିଥାଏ । ତେଣୁ କପଟପାଶାର ଏ ବାକ୍ୟ ପାଠକ ପାଠିକାମାନଙ୍କର ମନକୁ ଘେନିଥାଏ ।

 

କପଟପାଶାର ଲୋକପ୍ରିୟତା

 

ଏ ପୁସ୍ତକ ସପ୍ତଦଶ ଶତାବ୍ଦୀରେ ରଚିତ ହୋଇ ପ୍ରଚୁର ଜନପ୍ରିୟତା ଲାଭ କରିଥିଲା ।

 

ବହୁ ବର୍ଷ ହେଲା, ଏହାର ଶତ ଶତ ସଂସ୍କରଣ ପ୍ରକାଶ ପାଇଛି । ଏକାଧିକ ପ୍ରକାଶକ ଏହାକୁ ପ୍ରକାଶ କରି ପ୍ରଚୁର ପରିମାଣରେ ଲାଭବାନ ହୋଇ ଅଛନ୍ତି ।

 

ଓଡ଼ିଶାରେ ଏମିତି ଗ୍ରାମ ବା ସହର ନାହିଁ, ଯେଉଁଠି ଭୀମାଧୀବରଙ୍କ ‘କପଟପାଶା’ ପୁସ୍ତକ ମିଳିବ ନହିଁ ।

 

ଏ ପୁସ୍ତକ ସହର ତଳି ଫୁଟ୍‍ପାଥ୍‍ ବହି ଦୋକାନଠାରୁ ଆରମ୍ଭ କରି ସଂସ୍କୃତ ସଚେତନ ଆଭିଜାତ୍ୟ ପୁସ୍ତକ ଦୋକାନରେ ମଧ୍ୟ ବହୁ ସଂଖ୍ୟାରେ ବିକ୍ରି ହୋଇଥାଏ ।

 

ପାଲାଗାୟକମାନେ ଏହାର ସୁଲିଖିତ ଛନ୍ଦକୁ ଅତି ଲୋଭନୀୟ ଭାବରେ ଗାନ କରି ସମବେତ ଶ୍ରୋତା ମଣ୍ଡଳୀର ଧ୍ୟାନ ଆକର୍ଷଣ କରିବା ସଙ୍ଗେ ସଙ୍ଗେ ବିପୁଳ ଜନପ୍ରିୟତା ହାସଲ କରିଥାନ୍ତି ।

 

ଏଥିରୁ ଭୀମାଧୀବରଙ୍କ କପଟପାଶାର ଲୋକପ୍ରିୟତା ସହଜେ ଅନୁମେୟ ।

Image

 

ଉପମା ଓ ଉପମେୟର ଯଥାର୍ଥ ପ୍ରୟୋଗ

 

କପଟପାଶାର ଲୋକପ୍ରିୟତାର ଅନ୍ୟତମ କାରଣ ହେଲା, ଏହାର ଚିତ୍ତାକର୍ଷକ ଉପମା ଓ ଉପମେୟର ଅବତାରଣା । ତୃତୀୟ ଛାନ୍ଦରେ ଦୁଃଶାସନକୁ ବାରୁଣାବନ୍ତ ନଗରର ରାଜ ପ୍ରାସାଦରେ ଝସାଇ ପଶୁଥିବା ଦେଖି କୁନ୍ତୀ ପ୍ରସଙ୍ଗକ୍ରମେ “ସିଂହର ଭବନେ ଶୃଗାଳ ଝସାଇ ପଶିବା’’ ପ୍ରବଚନର ପୁନରାବୃତ୍ତି କରିଛନ୍ତି । ପୁଣି କୁନ୍ତୀଙ୍କ ମୁଖରୁ ଦୁଃଶାସନର ଅନ୍ତପୁର ପ୍ରବେଶ ବାର୍ତ୍ତା ଶୁଣି ଓ ଆତ୍ମଗୋପନ କରିବାର ସତର୍କବାଣୀ ଶୁଣି, ‘ବ୍ୟାଧ ଭୟେ ଯେହ୍ନେ ମୃଗୁଣୀ’ ପରି ରଜସ୍ଵଳା ଦ୍ରୌପଦୀ ରୋଷାଇଶାଳା ଭିତରେ ପଶୁଥିବା ଚିତ୍ର ପରିବେଷଣ କରାଯାଇଛି । ଦୁଃଶାସନ ରୋଷାଇଘର ଭିତରେ ସୁନ୍ଦରୀ ଦ୍ରୌପଦୀଙ୍କୁ ଦେଖିବା ପରେ, ତା ମନରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି, ତାକୁ କବି ‘ପୂର୍ବ ଦିଗେ ଉଦେ କି ଭାନୁ’ ବାକ୍ୟରେ ପ୍ରକାଶ କରିଅଛନ୍ତି ।

 

ସପ୍ତମ ଛନ୍ଦରେ ଦ୍ରୌପଦୀ ବିକଳ କଣ୍ଠରେ ବୀରପୁରୁଷ ଭୀମଙ୍କୁ କହୁଛନ୍ତି, “ସିଂହ ଘରଣୀ ଶୃଗାଳ ଆଣି କରୁଛି ହୀନିମାନୀ” । ତୁମେ କଣ ଏହାର ପ୍ରତିକାର କରିବ ନହିଁ । ଏହାଶୁଣି ବୀର ଭୀମ କହୁଛନ୍ତି, ଯୁଧିଷ୍ଟିର ଇଙ୍ଗିତ ଦେଲେ, “କଦଳୀ ବନ ଯେହ୍ନେ ପବନ ଘାତେ ପଡ଼ଇ ଲୋଟି” ସେହିପରି ହସ୍ତୀନାପୁରକୁ ଓଲଟାଇ ଦିଅନ୍ତି । କିନ୍ତୁ ରାଜା ଯୁଧିଷ୍ଟିରଙ୍କ ଆଦେଶ ନହିଁ । ଏହିପରି ଭାବରେ ସଭାସ୍ଥଳରେ ଭୀମ ଅନନ୍ୟୋପାୟ ହୋଇ ବସିଥିବା ଦୃଶ୍ୟକୁ ବର୍ଣ୍ଣନା କରି କବି କହୁଅଛନ୍ତି, ‘‘ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେସନ ବିରାଜି ଦିଶୁଥାଇ । ଚାରି ଭାଇଙ୍କ ମଧ୍ୟରେ ବୀର ସେହି ରୂପରେ ଦିଶଇ ।’’ ପୁଣି ଦଶମ ଛନ୍ଦରେ ଦ୍ରୋଣ ଯେତେବେଳେ ପ୍ରକାଶ କଲେ ଯେ, ସେ ସତୀ ନାରୀ ଦ୍ରୌପଦୀଙ୍କୁ ସଭାସ୍ଥଳୀରେ ବିବସ୍ତ୍ର କରିବାକୁ ଚେଷ୍ଟା କରିବାରୁ ତା’ ନିଜ କୁଳବଧୂ ଭାନୁମତୀ ଦେହରେ ନିଆଁ ଲାଗିଲା ଓ ସେ ସେହି ଉଲଗ୍ନ ଅବସ୍ଥାରେ କୁରୁସଭା ସ୍ଥଳୀରେ ସର୍ବ ସମକ୍ଷରେ ଛିଡ଼ା ହେଲା, ସେତେବେଳେ ରାଜା ଦୁର୍ଯ୍ୟୋଧନ “ଜୋକ ମୁହଁରେ ଲବଣ’ ଦେଲାପରି ବ୍ୟସ୍ତତା ଓ ବ୍ୟର୍ଥତାରେ ନୀରବ ରହିଲା ବୋଲି ବର୍ଣ୍ଣନା କରାଯାଇଛି ।

 

ସିଂହ ଭବନେ ଶୃଗାଳର ପ୍ରବେଶ ସଙ୍ଗେ ଓଡ଼ିଆ ଘରର ପରିଚିତ ପ୍ରବଚନ ‘ବାଘ ଘରେ ମିରିଗ ନାଟ’ ତୁଳନୀୟ । ପୁଣି ବ୍ୟାଧ ଭୟରେ ମୃଗୁଣୀର ବ୍ୟସ୍ତତା ସଙ୍ଗେ ଦ୍ରୌପଦୀ ପ୍ରାଣ ଭୟରେ ରୋଷାଇଶାଳ ଭିତରେ ପଶିବା ଉପମା ଅତ୍ୟନ୍ତ ବାସ୍ତବ ହୋଇ ଉଠିଛି ।

 

କୁରୁସଭାରେ ଭୀମ ବ୍ୟତୀତ ଅନ୍ୟ ଭାଇମାନେ ମୁହଁ ଶୁଖାଇ ଅଧୀର ଭାବରେ ବସିଥାନ୍ତି । କିନ୍ତୁ ଭୀମ ହୃଦୟରେ ପ୍ରତିଶୋଧ ପରାୟଣତା ଜାଗି ଉଠିଥାଏ । ଏହି ଚିତ୍ରକୁ ସ୍ପଷ୍ଟ କରିଦେବା ଉଦ୍ଦେଶ୍ୟରେ କବି ଆକାଶ ବକ୍ଷରେ ନକ୍ଷତ୍ର ଓ ଚନ୍ଦ୍ରର ଅବତାରଣା କରିଅଛନ୍ତି । ଏ କ୍ଷେତ୍ରରେ ଏହି ଉପମା ଓ ଉପମେୟ ଅତ୍ୟନ୍ତ ଜୀବନ୍ତ ହୋଇଉଠିଛି ।

 

ପୁଣି କପଟପାଶାର ଶେଷ ଛାନ୍ଦ, ଦଶମ ଛାନ୍ଦରେ ବିବସ୍ତ୍ର ଭାନୁମତୀକୁ ଦେଖି ରାଜା ଦୁର୍ଯ୍ୟୋଧନ ‘ଜୋକ ମୁହଁରେ ଲବଣ ଦେବା’ ପରି ସ୍ଥିର ଓ ନିର୍ଜୀବ ହୋଇ ଯାଇଥିବା ଚିତ୍ର ପରିବେଷିତ ।

 

ଅତ୍ୟନ୍ତ ଗ୍ରାମ୍ୟ ଓ ବନ୍ୟ ପରିବେଶରୁ ଭୀମାଧୀବର ନିଜର ସାର୍ଥକ ଉପମା ଏବଂ ଉପମେୟ ସଂଗ୍ରହ କରି କପଟପାଶାରେ ଯଥାଯଥ ସ୍ଥାନରେ ପରିବେଷଣ ପୂର୍ବକ ବିରଚିତ ଗ୍ରନ୍ଥର ମର୍ଯ୍ୟାଦା ବୃଦ୍ଧି କରିଅଛନ୍ତି ।

Image

 

ଦୁଇଟି ଲୋକପ୍ରିୟ ଉପାଖ୍ୟାନ

 

କପଟପାଶାରେ ଦୁଇଟି ଉପକଥା ବା ଉପାଖ୍ୟାନର ଅବତାରଣା କରାଯାଇଛି ।

ପ୍ରଥମ ଉପାଖ୍ୟାନରେ ସିଂହ-ଶଶକ ଓ ଶୃଗାଳ କଥା ବର୍ଣ୍ଣିତ । ଏହା ପଞ୍ଚମ ଛାନ୍ଦର ଏକ ଅଂଶ ଅଟେ ।

ଦୁର୍ଯ୍ୟୋଧନ, ପାଣ୍ଡବ କୁଳବଧୂ ଦ୍ରୌପଦୀକୁ ସଭାସ୍ଥଳୀରେ ଉଲଗ୍ନ କରିବାକୁ ଆଦେଶ ଦେଇ କହିଲା, ଏଥର ତୋତେ କେଉଁ କୃଷ୍ଣ ଆସି ସାହାଯ୍ୟ କରିବ ଦେଖିବା । ଏହାଶୁଣି ଦ୍ରୌପଦୀ ସିଂହ-ଶଶକ ଓ ଶୃଗାଳ ଉପାଖ୍ୟାନ ଶୁଣାଇଛନ୍ତି ଓ ହରିନିନ୍ଦା ନ କରିବାକୁ ଗର୍ବୀ ଦୁର୍ଯ୍ୟୋଧନଙ୍କୁ ଉପଦେଶ ଦେଇ ଅଛନ୍ତି ।

ଉପାଖ୍ୟାନଟି ହେଲା–

ସତ୍ୟ ଯୁଗରେ ଗୋଟିଏ ବନରେ ସିଂହ, ଶଶା ଓ ଶୃଗାଳ ଆଦି ବଣ୍ୟ ପଶୁମାନେ ବାସ କରୁଥିଲେ ।

ଦିନେ ଶଶାକୁ ଶୋଷ ହେବାରୁ ପୁଷ୍କରିଣୀକୁ ପାଣି ପିଇବାକୁ ଗଲା । ଜଳ ଘାଟରେ ଗୋଟିଏ ସିଂହ ବସିଥିଲା । ସେ ଶଶାକୁ ଖାଇବ ବୋଲି ଗୋଡ଼ାଇଲା । ଶଶା ପ୍ରାଣ ଭୟରେ ପଳାଇ ଯାଉ ଯାଉ ଏକ ଶୃଗାଳ ଗାତ ଭିତରେ ପଶିଗଲା । ଶୃଗାଳ ଗାତ ଭିତରେ ସେତେବେଳେ ଶୃଗାଳ ଉପସ୍ଥିତ ଥିଲା ।

ବର୍ତ୍ତମାନ ଶଶାର ଅବସ୍ଥା କହିଲେ ନସରେ ।

ସିଂହ କବଳରୁ ଉଦ୍ଧାର ପାଇବ ବୋଲି ଦ୍ୱିତୀୟ ଶତ୍ରୁ ଶୃଗାଳ ପାଖରେ ପହୁଞ୍ଚିଛି । ଏହି ସଙ୍କଟରୁ ଉଦ୍ଧାର ପାଇବାକୁ ସେ ନାରାୟଣଙ୍କ ଶରଣ ନେଲା ।

ନାରାୟଣ ଶଶା ପ୍ରତି ସଦୟ ହେଲେ ।

ଏଣେ ଗାତ ଭିତରେ ଶଶାକୁ ଦେଖି ଶୃଗାଳ ସନ୍ତୋଷ ହେଲା । ଭାବିଲା, ବିନା ପରିଶ୍ରମରେ ଆଧାର ମିଳିଗଲା । ସେ କ୍ରୁଦ୍ଧ କଣ୍ଠରେ ଶଶାକୁ ପ୍ରଶ୍ନ କଲା, ମୋ’ ଗାତା ଭିତରେ ପଶିଲୁ କାହିଁକି ?

ଶଶା ଏକ କୌଶଳ ପ୍ରୟୋଗ କରି କହିଲା, ଆଜି ବଣ ଭିତରେ ଗୋଟିଏ ସଭା ହୋଇ ସ୍ଥିର କରାଗଲା ଯେ, ତୁମେହିଁ ବଣର ରାଜା ହେବ । ବଣର ସବୁ ଜନ୍ତୁମାନେ ମୋତେ ଆପଣଙ୍କୁ ଡାକିବା ପାଇଁ ପଠାଇ ଅଛନ୍ତି । ଆପଣ ଚାଲନ୍ତୁ, ଆମର ରାଜା ହେବେ । ଆମେ ସମସ୍ତେ ଆପଣଙ୍କ ସେବା କରିବୁ ।

ଏହାଶୁଣି ଶୃଗାଳ ଖୁସିହେଲା । ସେ ଖୁସି, ମନରେ ଶଶାକୁ କହିଲା, ମୁଁ ରାଜାହେଲେ ତୋତେ ମନ୍ତ୍ରୀ କରିବି । ଏବେ ଚାଲ୍‍ ।

କିନ୍ତୁ ଶଶା ଗାତ ଭିତରୁ ହଠାତ୍‍ ବାହାରି ନ ପଡ଼ି କହିଲା, ଆପଣ ଏପରି କଥା କିପରି କହୁ ଅଛନ୍ତି ? ଆପଣ ଯେତେବେଳେ ଆମର ରାଜା । ପ୍ରଥମେ ଆପଣ ଚାଲିଲେ ସିନା ମୁଁ ଆପଣଙ୍କ ସେବକ ଭାବରେ ପଛେ ପଛେ ଚାଲିବି ।

ଶୃଗାଳ ଏହାଶୁଣି ଆହୁରି ଖୁସି ହୋଇଗଲା । ରାଜା ହେବା ଆଶାରେ ସେ ଯେମିତି ଗାତ ଭିତରୁ ପଦାକୁ ବାହାରି ପଡ଼ିଛି, ଗାତ ମୁହଁରେ ଅପେକ୍ଷା କରିଥିବା ସିଂହ ତାରି ଉପରକୁ ଝାମ୍ପି ବସିଲା ।

ନାରାୟଣଙ୍କ ନିକଟରେ ଶରଣ ପଶିଥିବା ଶଶକ ଆସନ୍ନ ମୃତ୍ୟୁ କବଳରୁ ଉଦ୍ଧାର ପାଇଗଲା । ଏହି ଉପାଖ୍ୟାନ ଶୁଣାଇବା ପରେ ଦ୍ରୌପଦୀ ଗର୍ବୀ ଦୁର୍ଯ୍ୟୋଧନକୁ ହରିନିନ୍ଦା ନ କରିବାକୁ କହିଲେ ।

ଦ୍ଵିତୀୟ ଉପାଖ୍ୟାନ ବା ଉପକଥାରେ ଗୋସିଂହ ଦୈତ୍ୟର ସତ୍ୟଭାମା ହରଣ ବୃତ୍ତାନ୍ତର ଅବତାରଣା କରା ଯାଇଛି ।

କପଟପାଶାର ଷଷ୍ଠ ଛାନ୍ଦରେ ଦେବୀ ଦ୍ରୌପଦୀ କୁରୁସଭାରେ ତାଙ୍କର ଲଜ୍ଜା ନିବାରଣ ନିମନ୍ତେ ଦ୍ଵିତୀୟ କୃଷ୍ଣ ଅର୍ଜ୍ଜୁନଙ୍କୁ ନିବେଦନ କଲେ ।

ବୀର ଅର୍ଜ୍ଜୁନ ପ୍ରକାଶ କଲେ ଯେ, ପୂର୍ବ କାଳରେ ଗୋସିଂହ ଦୈତ୍ୟ ସତ୍ୟଭାମାକୁ ଏକାକୀନୀ ଦେଖି ହରିନେବ ବୋଲି ଆସିଥିଲା । ସତ୍ୟଭାମା ଗୋସିଂହ ଦୈତ୍ୟକୁ ଦେଖି ଓ ତାର ମନ୍ଦ ଉଦ୍ଦେଶ୍ୟ ବୁଝିପାରି, ଅର୍ଜ୍ଜୁନଙ୍କୁ ଏହି ବିପଦରୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ସ୍ମରଣ କଲେ । ସତ୍ୟଭାମାଙ୍କ କାତର ପ୍ରାର୍ଥନା ଶୁଣି, ଅର୍ଜ୍ଜୁନ ଶରବିଦ୍ଧ କରି ଗୋସିଂହ ଦୈତ୍ୟର ନିଧନ କଲେ । ଏହାପରେ ସେ ସତ୍ୟଭାମାଙ୍କୁ ସଙ୍ଗରେ ନେଇ ହୈବତ ଗିରିରେ ପାହୁଞ୍ଚିଲେ ଓ କୃଷ୍ଣଙ୍କ ହସ୍ତରେ ତାଙ୍କୁ ସମର୍ପଣ କରି ଦେଇଥିଲେ ।

ଯେଉଁ ଶକ୍ତି ବଳରେ ସେ ଗୋସିଂହ ଦୈତ୍ୟର ନିଧନ କଲେ, ସେହି ଶକ୍ତି ପ୍ରୟୋଗ କରି କୁରୁ ସୈନ୍ୟର ଧ୍ଵଂସ ସାଧନ କରିବାରେ ସମର୍ଥ । କିନ୍ତୁ ଯୁଧିଷ୍ଠିରଙ୍କ ଆଜ୍ଞା ନ ଥିବାରୁ ସେ ନିଜ ଶକ୍ତି ପ୍ରୟୋଗ କରି ସତୀ ଦ୍ରୌପଦୀଙ୍କୁ ଉଦ୍ଧାର କରିପାରୁନଥିବା କଥା ପ୍ରକାଶ କଲେ ।

ଶାଶ୍ଵତ ଧର୍ମବିଶ୍ଵାସ :

ଅଷ୍ଟମ ଛାନ୍ଦରେ ସ୍ଵୟଂ ଗୋବିନ୍ଦ, ଦ୍ରୌପଦୀଙ୍କୁ ଆଦିତ୍ୟ ଅର୍ଥାତ୍‍ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ହେ ଦ୍ରୌପଦୀ, ଜୀବନରେ ତୁମେ ଅନେକ ବସ୍ତ୍ର ଅତିଥି ଅଭ୍ୟାଗତମାନଙ୍କୁ ଦାନ କରିଛ । ସେ ବସ୍ତ୍ର ସବୁ ଆଦିତ୍ୟଙ୍କଠାରେ ଜମା ଅଛି । ଆଦିତ୍ୟଙ୍କୁ ସ୍ମରଣ କଲେ, ସେ ତୁମକୁ ବସ୍ତ୍ର ଦାନକରି ଲଜ୍ଜା ନିବାରଣ କରିବେ । ତୁମେ ଅତିଥି ଅଭ୍ୟାଗତମାନଙ୍କୁ ଯେଉଁ ବସ୍ତ୍ର ଦାନ କରିଛ, ତାହା ଶତଗୁଣରେ ଫେରି ପାଇବ । ଭୀମାଧୀବର କହିଛନ୍ତି,

 

‘‘ସଂପଦ କାଳେ ଯେ ଯାହା ଦାନ କରଇ ।

ବିପଦ କାଳରେ ତାହା ତାକୁ ମିଳଇ ।’’

 

ହିନ୍ଦୁ ଗୃହସ୍ଥ ଏହି ଉକ୍ତିରେ ବିଶ୍ଵାସ ସ୍ଥାପନ କରି ଦାନ ପୁଣ୍ୟରେ ବ୍ରତୀ ହୋଇଥାଏ ।

 

ପୁଣି ଦଶମ ଛାନ୍ଦରେ ହିନ୍ଦୁ ଜଗତର ଆଉ ଏକ ଧର୍ମ ବିଶ୍ୱାସର ଅବତାରଣା କରାଯାଇଛି । ସେଇଟି ହେଲା, ଦ୍ରୌପଦୀଙ୍କ କୋପ ଦୃଷ୍ଟିରେ ପଡ଼ି ହସ୍ତୀନାପୁରର ରାଣୀହଂସପୁର ଜଳିଗଲା । ଦୁର୍ଯ୍ୟୋଧନର ପାଟରାଣୀ ଭାନୁମତୀ ଦେହରେ ବି’ ନିଆଁ ଲାଗିଲା । ତେଣୁ ସେ ଅଙ୍ଗରୁ ବାସ କାଢ଼ି ସମ୍ପୂର୍ଣ୍ଣ ଉଲଗ୍ନ ବେଶରେ ପ୍ରାଣ ଭୟରେ ଧାଇଁ ଧାଇଁ ଆସି କୁରୁସଭାରେ ଛିଡ଼ାହେଲେ । ଭାନୁମତୀଙ୍କ ଉଲଗ୍ନ ଅବସ୍ଥା ଦେଖି, ସଭାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ରାଜାମାନେ ମୁହଁରେ ଲୁଗା ଦେଇ ହସିଲେ ।

 

‘‘ଦ୍ରୋଣ ଏଭଳି ପରିସ୍ଥିତିରେ ଦୁର୍ଯ୍ୟୋଧନଙ୍କୁ ଚେତାଇ ଦେଇଛନ୍ତି,

 

ପରକୁ ଯେହୁ ଚିନ୍ତଇ ମନ୍ଦ

ତାହାକୁ ମନ୍ଦ ଚିନ୍ତେ ଗୋବିନ୍ଦ

ଅନ୍ତ କାଳରେ ସେହି ଲଭଇ ଅତି କଷଣ ହେ ।

 

ଦ୍ରୋଣଙ୍କ ମୁହଁରୁ ଏକଥା ଶୁଣି, ଦୁର୍ଯ୍ୟୋଧନ ହିନ୍ଦୁ ଧର୍ମ ବିଶ୍ୱାସକୁ ସ୍ମରଣ କଲେ ଏବଂ ‘ଜୋକ ମୁହଁରେ ଲବଣ ଦେଲାପରି’ ଅବସ୍ଥା ପ୍ରାପ୍ତହୋଇ ମଉନ ହୋଇ ବସିଲେ ।

 

ଭାଗ୍ୟ ଓ ଭଗବାନ ବିଶ୍ୱାସ :

 

କବି ଭୀମାଧୀବର ଭାଗ୍ୟ ଓ ଭଗବାନ ବିଶ୍ଵାସୀ ଥିଲେ । ସମୟର ଆଧିପତ୍ୟକୁ ସେ ସର୍ବଦା ସ୍ଵୀକାର କରୁଥିଲେ । ଏ ଉକ୍ତି ନିମ୍ନଲିଖିତ ଘଟଣାରୁ ସାବ୍ୟସ୍ତ ହେବ । କୁରୁସଭା ସ୍ଥଳୀରେ ଦ୍ରୌପଦୀ ଶୋକାଭିଭୂତ ଅବସ୍ଥାରେ ଦଣ୍ଡାୟମାନ ଅଛନ୍ତି । ସେ ପଞ୍ଚ ପାଣ୍ଡବଙ୍କୁ ଲଜ୍ଜା ନିବାରଣ ପାଇଁ ବ୍ୟାକୁଳ ନିବେଦନ ଜଣାଉ ଅଛନ୍ତି । ସମସ୍ତଙ୍କଠାରୁ ନିରାଶ ବାଣୀ ଶୁଣିବା ପରେ ସେ ସହଦେବଙ୍କ ମୁଖକୁ ଚାହିଁ କହିଲେ, ତୁମେ ଧର୍ମରାଜ ଯୁଧିଷ୍ଠିରଙ୍କ ମନ୍ତ୍ରିତ୍ଵ ପବନର ଅଧିଷ୍ଠିତ । ତୁମେ ଆଗତ ଭବିଷ୍ୟ କଥା ଜାଣିପାର । ତେଣୁ ମୁଁ ବୁଝୁଛି, ମୋର ଏ ଦୂରାବସ୍ଥା କଥା ତୁମେ ନିଶ୍ଚୟ ଆଗରୁ ଜାଣିଥିଲ । ଏହା ମୋତେ ଜଣାଇଥିଲେ ଏ ଦୁର୍ଗତିରୁ ଉଦ୍ଧାର ପାଇବା ନିମନ୍ତେ ମୁଁ ଅବଶ୍ୟ ପ୍ରତିକାର କରିଥାନ୍ତି । ଜାଣି ଶୁଣି, ଏକଥା ମୋତେ ଜଣାଇଲ ନାହିଁ କାହିଁକି ? ସହଦେବ ଏହାଶୁଣି ଉତ୍ତର ଦେଇଥିଲେ,

 

ମନ୍ତ୍ରୀବର ବୋଲେ ସଖି ଶୁଣ ।

ଏ ଯେ ଦେବତା କୂଟ ଭିଆଣ ।

ତୁମ୍ଭଙ୍କୁ କଷଣ ନୋହିଲେ ସୁମୁଖୀ ନ ମରିବେଟି ସେ ଦୁଷ୍ଟଗଣ ଗୋ । ସୁନ୍ଦରୀ ॥

 

ଏ ଯେ ଦୁର୍ଯ୍ୟୋଧନ ଶତ ଭାଇ

ମହା ମହାବୀର ଛନ୍ତି ରହି ।

ତୁମ୍ଭଙ୍କୁ କଷଣ ଦେବେ ଦେବଗଣ ଏହିମାନଙ୍କର ନାଶ ପାଇଁ ଗୋ । ସୁନ୍ଦରୀ ॥

 

ସଖି ମନରେ ବିରସ ନୁହ ।

ଦଣ୍ଡେମାତ୍ର ଦୁଃଖ ସହିରହ

ତୁମ୍ଭେ ଜଗତଜନଙ୍କ ମାତ କିମ୍ପା କରୁଛ ମନରେ କୋହ ଗୋ ॥ ସୁନ୍ଦରୀ ॥

 

ଏଥିରୁ ପ୍ରତିପାଦିତ ହେବ ଯେ, ସହଦେବ ଆଗତ ଭବିଷ୍ୟ ସମ୍ବାଦ ଜାଣିବାରେ ପାରଦର୍ଶିତା ଲାଭ କରିଥିଲେ ମଧ୍ୟ ଦେବକୂଟ ଜାଣିବାରେ ଅନଭ୍ୟସ୍ତ ଥିଲେ । କିନ୍ତୁ ଘଟଣା ବିଚାର କରି ତାହା ମାନବକୂଟ କି ଦେବକୂଟ ତାହା ବୁଝି ପାରିଥିଲେ । ସେ ବୁଝିଥିଲେ ଯେ, ଦ୍ରୌପଦୀଙ୍କ ଦୁରାବସ୍ଥାର ପରିଣାମ ସ୍ୱରୂପ କୁରୁଦଳ ନିପାତ ହେବେ । ଏକ ମହତ୍ତର କାର୍ଯ୍ୟ ସାଧନ ନିମନ୍ତେ ଦେବକୂଟ ପ୍ରୟୋଗ କରାଯାଇଛି । ମହତ୍ତର କାର୍ଯ୍ୟ ସାଧନ ନିମନ୍ତେ ପୁଣ୍ୟାତ୍ମାମାନେ ଦୁଃଖ ବରଣ ପୂର୍ବକ ସ୍ଵାର୍ଥତ୍ୟାଗ କରିଥାନ୍ତି ।

 

ଯୁଧିଷ୍ଠିର ପଶାଖେଳରେ ହାରିବା ଓ ଦ୍ରୌପଦୀଙ୍କୁ କୁରୁସଭାସ୍ଥଳୀରେ ବିବସ୍ତ୍ର କରା ଯିବାକୁ ଆଦେଶ ହେବା ମୂଳରେ ଦୁର୍ଦ୍ଦାନ୍ତ କୁରୁବଳର ବିନାଶ ସାଧନ ଲକ୍ଷ୍ୟ ଥିବାକଥା ସହଦେବ ଘଟଣା ଚକ୍ରରୁ ବୁଝିବାରେ ସକ୍ଷମ ହୋଇଥିଲେ । ଭାଗ୍ୟ ଓ ଭଗବାନ ବିଶ୍ଵାସୀ କବି ଭୀମା ଏହି ଘଟଣାକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରିଅଛନ୍ତି ।

 

ଭ୍ରାତୃବତ୍ସଳତା :

 

ଧର୍ମରାଜା ଯୁଧିଷ୍ଠିର କେବଳ ପ୍ରଜାବତ୍ସଳ ଶାସକ ନ ଥିଲେ, କପଟପାଶାର କବି ତାଙ୍କୁ ଜଣେ ଶ୍ରେଷ୍ଠ ଭ୍ରାତୃବତ୍ସଳ ନାୟକରୂପେ ସପ୍ତମଛାନ୍ଦରେ ଚିତ୍ରଣ କରିଅଛନ୍ତି । ସଭାସ୍ଥଳରେ ଦୁଃଶାସନର ନିର୍ମମ ବାକ୍ୟ ବାଣରେ ଜର୍ଜରିତ ହୋଇ ଯେତେବେଳେ ବେନିଗଦା ଧାରଣ ପୂର୍ବକ ଦୁଃଶାସନକୁ ଜବତ କରିବାକୁ ବାହାରିଲେ, ସେତେବେଳେ ଧର୍ମରାଜା ଯୁଧିଷ୍ଠିର ସଭାରୁ ଉଠି ଭୀମକୁ କହୁଛନ୍ତି,

 

“ଶୁଣି ଯୁଧିଷ୍ଠି ସଭାରୁ ଉଠି ବୋଇଲେ ଆରେ ଭୀମ ।

କଥା ନଜାଣୁ ତୁ ଅକାରଣୁ କିମ୍ପା କରୁଛୁ ତମ ॥

 

ତୋ ମୂର୍ଖ ବୁଦ୍ଧି ଆଜ ଅବଧି ନଗଲା କିଛି ଛଡ଼ା ।

ଜାଣିଲି ତୋର ମୂର୍ଖ ବିଚାର ହେଲୁ ତୁ ଘରବୁଡ଼ା ॥

 

ଦ୍ରୌପଦୀ ପରା ଶତେ ଯୁବତୀ ମିଳିବେ ଆରେ ଭାଇ ।

ନିଜ ସୋଦର ମରାଇ ଭାଇ ପାଇବା ଆଉ କାହିଁ ॥

 

ଭ୍ରାତୃ ସୋଦର ଦ୍ଵନ୍ଦ୍ୱ ଆରମ୍ଭ କରୁଛୁ କିସ ପାଇଁ ?”

 

ଏଥିରେ ରାଜା ଯୁଧିଷ୍ଠିରଙ୍କ ମହାନୁଭବତା ପ୍ରକାଶ ପାଇଛି । ଭ୍ରାତୃବତ୍ସଳ ରାଜା ନିତାନ୍ତ ଦୁଃସମୟରେ ମଧ୍ୟ ଦ୍ରୌପଦୀଙ୍କ ବିନିମୟରେ ନିଜ ଭାଇମାନଙ୍କ ଜୀବନ ରକ୍ଷାକରିବାକୁ ଆଗ୍ରହୀ ହୋଇ ଉଠିଛନ୍ତି । ସେ କହୁଛନ୍ତି, ସ୍ତ୍ରୀ ଦ୍ରୌପଦୀ ବଦଳରେ ଅନ୍ୟ ସ୍ତ୍ରୀ ମିଳିବେ, କିନ୍ତୁ ଭାଇମଲେ କାହୁଁ ପାଇବା ।

 

ଏଠାରେ ରାଜା ଯୁଧିଷ୍ଠିରଙ୍କ ଭୂମିକା ସୀତାଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରିଥିବା ପ୍ରଜାବତ୍ସଳ ରାଜା ରାମଚନ୍ଦ୍ରଙ୍କ ଭୂମିକା ସଙ୍ଗେ ତୁଳନୀୟ ।

 

କିନ୍ତୁ ଯୁଧିଷ୍ଠିରଙ୍କ ଏକଥା ଶୁଣି ମଧ୍ୟ ବୀର ଭୀମ ଶାନ୍ତ ନ ହେବାରୁ ଅର୍ଜ୍ଜୁନ ତାଙ୍କୁ କହିଛନ୍ତି ।

 

“ପାର୍ଥ କହଇ ଧର୍ମ ନୁହଇ ଆମ୍ଭର ଜ୍ୟେଷ୍ଠଭାଇ ।

ତାହାଙ୍କ ଆଜ୍ଞା ମେଣ୍ଟନ କଲେ ପଶ୍ଚାତେ ଦୁଃଖ ପାଇଁ ।।

ନୁହ କାତର ନୁହ ଅସ୍ଥିର ନୁହ ହେ କୋପ ମୂର୍ତ୍ତି ।

ଅର୍ଜ୍ଜୁନ ବୋଲେ ପବନସୁତ ବସିଲା ହୋଇ ଶାନ୍ତି ।।’’

 

ଏଠାରେ ମଧ୍ୟ ଅର୍ଜ୍ଜୁନଙ୍କ ମୁଖରେ ଭ୍ରାତୃବତ୍ସଳତା ଫୁଟି ଉଠିଛି । ଅର୍ଜ୍ଜୁନ ଭୀମକୁ ଚେତାଇ ଦେଇ ଅଛନ୍ତି ଯେ, ବଡ଼ ଭାଇଙ୍କର ଆଜ୍ଞା ପାଳନ ନ କଲେ, ପଛରେ ଅନୁତାପ କରିବାକୁ ପଡ଼ିଥାଏ । କୋପ ପ୍ରକାଶ କରିବା ଅସ୍ଥିର ଓ କାତର ମନର ପରିଚାୟକ । ତେଣୁ ଧୀରସ୍ଥିର ଭାବରେ ବଡ଼ ଭାଇଙ୍କ କଥା ମାନି କ୍ରୋଧ ସମ୍ବରଣ କରିବା ବାଞ୍ଛନୀୟ ।

 

ଏହା ଶୁଣି ପବନ ସୁତ ଭୀମସେନ ଭାଇଙ୍କ ଆଦେଶକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଶାନ୍ତ ହୋଇଛନ୍ତି ।

 

ଏହି ଭ୍ରାତୃବତ୍ସଳତା ହିନ୍ଦୁ ସମାଜର ଅନୁକରଣୀୟ ।

Image

 

କପଟପାଶା : ପରିବେଶ

 

କପଟପାଶା ନିରୋଳା ଓଡ଼ିଆ ଭାଷାରେ ରଚିତ ।

 

ଏହି ଗ୍ରନ୍ଥରେ ସାରଳା ଦାସଙ୍କ ମହାଭାରତର ଆତ୍ମାକୁ ଦେଖିହୁଏ ।

 

ପୁଣି ଦେଖିହୁଏ, ସେ ଦିନର ସେହି ଜନ କୋଳାହଳ ବିରଳ ଛୋଟ ସହର, ରେଢ଼ାଖୋଲ, ତାର ବଣ୍ୟ ପରିବେଶ ଓ ସରଳ ପୁରାଣ-ପ୍ରାଣ ନରନାରୀଗଣଙ୍କୁ । ସେହି ନରନାରୀମାନେ ହିନ୍ଦୁ ଆଚାର ବିଚାରକୁ ସମ୍ମାନ ପ୍ରଦର୍ଶନ କରନ୍ତି ।

 

ପୁଣି ସେହି ରେଢ଼ାଖୋଲର କୌଣସି ଏକ ସ୍ୱଚ୍ଛଳ ପରିବାରର ଗୃହବଧୂରୂପୀ ଦ୍ରୌପଦୀଙ୍କୁ । ସେ ରାଜରାଣୀ ହୋଇ ସୁଦ୍ଧା ଓଡ଼ିଆଣୀ ବଧୂ ପରି ରୋଷାଇଶାଳକୁ ଭଲରେ ମନ୍ଦରେ ଅଭେଦ୍ୟ ଦୁର୍ଗ ମନେ କରନ୍ତି । ବିପଦ ବେଳେ ସ୍ଵାମୀ ପାଖରେ ଅନୁନୟ ହୋଇ ଗୁହାରନ୍ତି-। ସେ ଓଡ଼ିଆ ବଧୂର ରଜସ୍ଵଳା ବିଧି ନିଷେଧକୁ ଅକ୍ଷରେ ଅକ୍ଷରେ ମାନି ଚଳନ୍ତି । ସପ୍ତମ ଦିନରେ ଗନ୍ଧ ଅଁଳା ବାଟି ଦେହରେ ଲଗାନ୍ତି ଓ ଗୋମୟରେ ସ୍ନାନ କରି ଶୁଦ୍ଧ ହୁଅନ୍ତି । ପୁଣି ଓଦା ଲୁଗାରେ ଏକମୁହାଁ ହୋଇ ଘରକୁ ଫେରନ୍ତି । ଶାଶୁ ଶ୍ୱଶୁରଙ୍କୁ ସେବା କରି, ଗୁରୁ ବ୍ରାହ୍ମଣଙ୍କୁ ପ୍ରଣାମ କରି ପୁନର୍ବାର ପରିବାର ସେବାରେ ନିଜକୁ ସମ୍ପୂର୍ଣ୍ଣରୂପେ ନିୟୋଜିତ କରି ଦିଅନ୍ତି ।

 

କପଟପାଶାରେ ଦେଖିହୁଏ ପାଣ୍ଡବ ମାତା କୁନ୍ତୀଙ୍କ ସଙ୍ଗରେ । ସତେ ଅବା ସେ ତତ୍କାଳୀନ ରେଢ଼ାଖୋଲର ଏକ ସ୍ୱଚ୍ଛଳ ପରିବାରର ବୟସ୍କା ଶାଶୁ ବୁଢ଼ୀ । ପୁଅମାନେ ଘରେ ଉପସ୍ଥିତ ନ ଥିଲା ବେଳେ, ବାହାରର କୌଣସି ପୁରୁଷକୁ ଘର ଭିତରକୁ ପୂରେଇ ଦେବାକୁ ନାରାଜ-। କବାଟ ଦୁଆର ମାଡ଼ି ବସି ସେହି ଆଗନ୍ତୁକକୁ ଅଟକାଇ ରଖିବାକୁ ଆଗଭର । ଆଗନ୍ତୁକକୁ ପଚାରୁଛନ୍ତି, ଆରେ ବାବୁ, ରହ ରହ । କଥା କଣ କହ । ଭାଇ ଭାଇ କଳି କଲେ । ସେମାନେ ସେ କଥା ବୁଝାବୁଝି ହେବେ । ବୋହୂ ମୋର କି ଦୋଷ କଲାଯେ ତାକୁ ସଭାକୁ ନେବୁ-? ଆଗନ୍ତୁକ କଥା ନ ମାନିଲେ, ବଡ଼ ପାଟିରେ କହିବେ, ବହୂଲୋ, ଲୁଚିଯା–ଲୁଚିଯା ।

 

ପୁଣି ଆମେ କୁରୁସଭାରେ ଭେଟୁ ପଞ୍ଚପାଣ୍ଡବ, କୁରୁଦଳ ବଳ ସମେତ ଦୁର୍ଯ୍ୟୋଧନ ଓ ଦୁଃଶାସନକୁ । ସତେ ଅବା ରେଢ଼ାଖୋଲର ପଞ୍ଚୁଆତି ସଭା । ସେ ସଭାରେ ଯୁଧିଷ୍ଠିର ଭାଗ୍ୟ ଊଣା ହେବାରୁ ଦୁର୍ଯ୍ୟୋଧନ ପାଖରେ ହାରି ଯାଇଛନ୍ତି । ଦୁର୍ଯ୍ୟୋଧନ ପକ୍ଷରୁ ଭାଇ ଦୁଃଶାସନ କହୁଛି, ହେଲା ଏଥର ? ବଡ଼ଭାଇ ଯୁଧିଷ୍ଠିର ରଥ ଦଉଡ଼ା ବଳୁ । କୂଅରୁ ପାଣିଟଣା ହେବ ବା ହଳ କଲାବେଳେ କାମରେ ଲାଗିବ । ଆମର ବର୍ଷକ ଭିତରେ ଯେତେ ଦଉଡ଼ା ଲାଗିବ, ସବୁ ସେଇ ବଳିବ । ଅର୍ଜ୍ଜୁନ ଭାତରାନ୍ଧୁ । ବଳୁଆ ଭୀମ ପାଣି ବୋହିବ । ନକୁଳ ଘର ଆଗରେ ପହରା ଦେବ । ରେଢ଼ାଖୋଲର ସମର୍ଥ ପରିବାର ଏଇଥି ପାଇଁ ହଳିଆ ରଖେ । ପଶାଖେଳରେ ହାରିଛନ୍ତି ଯେତେବେଳେ ପାଣ୍ଡବ ପାଞ୍ଚ ଭାଇ ‘ହଳିଆ’ ହେବେ ନାହିଁତ ଆଉ କଣ ହେବେ । ସାହୁକାର ଦୁର୍ଯ୍ୟୋଧନ ପାଇଁ ଏସବୁ କାମ ସେମାନକୁ ହିଁ କରିବାକୁ ପଡ଼ିବ ।

 

ଏହିପରି ଅନେକ ଚିତ୍ର ଓ ଚରିତ୍ରର ସମାବେଶ ‘କପଟପାଶା’ ପଢ଼ିଲେ ମନେହୁଏ ସବୁକଥା ଆମ ଗାଆଁରେ, ଆମରି ଆଖି ଆଗରେ ଘଟିଯାଉଛି । ଚରିତ୍ରମାନେ ଆମର ଅତି ଜଣାଶୁଣା । ଖୁବ୍‍ ଭଲ ଲାଗେ ।

Image

 

କପଟପାଶାର ବୈଶିଷ୍ଠ୍ୟ

 

ସପ୍ତଦଶ ଶତାବ୍ଦୀରେ ରଚିତ, ରେଢ଼ାଖୋଲ (ସମ୍ବଲପୁର)ର ପ୍ରଖ୍ୟାତ ଗଣକବି ଭୀମାଧୀବରଙ୍କ କପଟପାଶା, ଓଡ଼ିଆ ସାହିତ୍ୟ ଜଗତରେ ଏକ କ୍ଷୀଣକାୟ ଗ୍ରନ୍ଥ ହେଲେ ମଧ୍ୟ, ଏହାର ଲୋକପ୍ରିୟତା ସର୍ବାଧିକ । ‘କପଟପାଶା’ର କବି ଭୀମାଧୀବରଙ୍କୁ ଓଡ଼ିଆ ସାହିତ୍ୟରେ ସବୁଦିନ ପାଇଁ ଅମରତ୍ଵ ପ୍ରଦାନ କରିବା ମୂଳରେ, ଏ ଗ୍ରନ୍ଥର ସରଳ, ତରଳ ଓ ମନୋହର ଭାଷା, ମହାଭାରତର ସେହି ଲୋକପ୍ରିୟ ‘ଯୁଧିଷ୍ଠିର; ଦୁର୍ଯ୍ୟୋଧନ ପଶାଖେଳ’ ବୃତ୍ତାନ୍ତ, ବିଭିନ୍ନ ରାଗରାଗିଣୀର ସମନ୍ଵିତ ଝଙ୍କାର ଓ ଜନମାନସରେ ପଶାଖେଳର ଅନିର୍ବାର୍ଯ୍ୟ କୁପରିଣତିର ମହନୀୟ ଦୃଷ୍ଟାନ୍ତ ବିଦ୍ୟମାନ ।

 

‘କପଟପାଶା’ ଏକ ଖଣ୍ଡକାବ୍ୟ ରୂପେ ଗ୍ରହଣୀୟ ଓ କପଟପାଶାର କବି ଭୀମାଧୀବର ତତ୍କାଳୀନ ସମାଜର ଜଣେ ଦିଗ୍‍ଦ୍ରଷ୍ଟା ତଥା ଶିକ୍ଷକ–କବିରୂପେ ବିଶିଷ୍ଟ ଆସନର ଅଧିକାରୀ । ସେ ତାଙ୍କର କ୍ଷୀଣକାୟ ‘କପଟପାଶା’ରେ ମହାଭାରତ ଯୁଦ୍ଧର ମୂଳସୂତ୍ର ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ବହୁ ଲୋକପ୍ରିୟ କଥା, ଉପକଥା ଓ କାହାଣୀର ଅବତାରଣା କରି ଜନସାଧାରଣଙ୍କୁ ଘୃଣ୍ୟ ଜୁଆଖେଳ ଓ ପରସ୍ତ୍ରୀ ପ୍ରତି ଆସକ୍ତ ହେବାର ପରିଣତିକୁ ଅତି ଦକ୍ଷତାର ସହିତ ପ୍ରକଟ କରିଅଛନ୍ତି । ସେଥିପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟରେ ଅନ୍ୟତମ ଦକ୍ଷ ‘ଶିକ୍ଷକ: କବି’ ରୂପେ ଗ୍ରହଣ କରା ଯାଇଥାଏ । ସେ ଯାହା କହିବା କଥା କହିଛନ୍ତି ଓ ଠିକ୍‍ ଭାବରେହିଁ କହି ଯାଇଛନ୍ତି ।

 

ତତ୍କାଳୀନ ଜନ ସମାଜରେ ଦେଖା ଦେଇଥିବା ପଶାଖେଳର ଦୁଃଖମୟ ପରିଣତି ପ୍ରତି ସେ ପାଠକ, ଶ୍ରୋତା ଓ ଆଲୋଚକମାନଙ୍କୁ ସତର୍କ କରି ଦେଇଛନ୍ତି ।

Image

 

ଯାଦୁକରୀ ଭାଷା

 

କପଟପାଶାର ସରଳ ସର୍ବଜନବୋଧ୍ୟ ଭାଷା ଗାୟକ, ଶ୍ରୋତା ଓ ପାଠକ ମନରେ ଆଲୋଡ଼ନ ସୃଷ୍ଟି କରିଥାଏ । ରୀତିଯୁଗୀୟ କବିମାନଙ୍କ ପରି ସେ ଶବ୍ଦ କାଠିନ୍ୟ ଭିତରେ ତାଙ୍କ କବିତାର ତର୍କ ସୃଷ୍ଟିକରି ନାହାନ୍ତି କି ଗୁରୁ ଗମ୍ଭୀର ଶବ୍ଦ ପ୍ରୟୋଗ କରି ତାଙ୍କ ଗ୍ରନ୍ଥକୁ ସଂସ୍କୃତାଭିମୁଖୀ କରି ନାହାନ୍ତି । ତାଙ୍କ ରଚନାରେ ଖାଣ୍ଟି ଓଡ଼ିଆ ଭାଷାର ଓ ଦେଶଜ ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳିଥାଏ । ଯଦିଓ ତାଙ୍କ ପ୍ରିୟ ଜନ୍ମସ୍ଥାନର କେତେକ ଆଞ୍ଚଳିକ ଶବ୍ଦକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବାର ଲୋଭ ସମ୍ବରଣ କରିପାରି ନାହାନ୍ତି, ତଥାପି ତାଙ୍କ ଭାଷାର ସରଳ ଓ ସାବଲୀଳ ପ୍ରୟୋଗ ପ୍ରଣାଳୀ ସରଳ ପଲ୍ଲୀବାସୀଙ୍କଠାରୁ ଆରମ୍ଭ କରି ସହର ସଭ୍ୟତା ପରିପୁଷ୍ଟ ଆଧୁନିକ ସଭ୍ୟ ସୁଶିକ୍ଷିତ ଜନତାଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ ।

 

ଏଠାରେ ଉଲ୍ଲେଖନୀୟ ଯେ, କବିର କାବ୍ୟିକ ଉତ୍କର୍ଷ ତାରିଦ୍ଵାରା ରଚିତ ଗ୍ରନ୍ଥର ସଂଖ୍ୟା ବା ପ୍ରାଚୁର୍ଯ୍ୟ ଉପରେ ସର୍ବଦା ନିର୍ଭର କରି ନ ଥାଏ । ଏହା ନିର୍ଭର କରିଥାଏ, ପରିବେଷଣ ଶୈଳୀ ତଥା ଭାବ ଓ ଭାଷାର ରୂପାୟନ ଉପରେ । କବି ଭୀମାଧୀବର ଏ କ୍ଷେତ୍ରରେ ଓଡ଼ିଆ ସାହିତ୍ୟରେ ଏକମାତ୍ର ଉଦାହରଣ ରୂପେ ବିବେଚିତ ହେବେ ।

 

କପଟପାଶାର ଦଶଟିଯାକ ଛାନ୍ଦ ବିଭିନ୍ନ ରାଗରାଗିଣୀଦ୍ଵାରା ରଚିତ । ଏହି ସଙ୍ଗୀତଗୁଡ଼ିକ ଏବେ ମଧ୍ୟ ଓଡ଼ିଶାର ସର୍ବତ୍ର ଆଦୃତ ଓ ଗୀତ ହୋଇଥାଏ । ଏଥିରୁ ଏହାର ଲୋକପ୍ରିୟତାର ପ୍ରମାଣ ମିଳେ ।

Image

 

କଥାବସ୍ତୁ

 

ମହାକାବ୍ୟ ‘ମହାଭାରତ’ ଭାରତର ଜାତୀୟ ମହାକାବ୍ୟ ରୂପେ ପରିଗଣିତ । ଏହା ଏକାଧାରରେ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ଶାସ୍ତ୍ର ରୂପେ ଗୃହୀତ ହୋଇଥାଏ ।

 

ବେଦବ୍ୟାସଙ୍କ ସଂସ୍କୃତ ମହାଭାରତ ଅନୁସରଣରେ ଓଡ଼ିଆ ଜାତିର ଆଦିକବି ସାରଳା ଦାସ ଏକ ପ୍ରକାର ନୂତନ ଓଡ଼ିଆ ମହାଭାରତ ରଚନା କଲେ ।

 

ମହାଭାରତ ଶତଶତ ବର୍ଷଧରି ଭାରତୀୟ ଜୀବନ ଧାରାକୁ ନିୟନ୍ତ୍ରିତ କରି ଆସିଛି । ଏହି ମହାକାବ୍ୟ ଏବେ ମଧ୍ୟ ଜନମାନସରେ ତାର ଅସପତ୍ନ ପ୍ରତିଷ୍ଠା ଓ ସମ୍ମାନ ଅକ୍ଷୁଣ୍ଣ ରଖିଛି ।

 

ବିପୁଳାୟତନ ମହାକାବ୍ୟ ମହାଭାରତରେ ବିଭିନ୍ନ ଧରଣର କାବ୍ୟ-କଥା ଓ ଉପକଥା ରହିଛି । ଏଥିରେ ବହୁ ପ୍ରେମ ଓ ବୀର୍ଯ୍ୟର କାହାଣୀ ସମେତ ଅନେକ ଧର୍ମ ଓ ନୀତିମୂଳକ କାହାଣୀ ରହିଛି । ତହିଁରେ ଜୀନନର ବ୍ୟାପକ ଓ ଗଭୀର ସତ୍ୟ ପ୍ରତିଫଳିତ । ଜନ-ଜୀବନ ସଙ୍ଗେ ସେ ସମସ୍ତ ସତ୍ୟ ଓତଃପ୍ରୋତ ଭାବରେ ଜଡ଼ିତ । ଏଥିରୁ ବିଭିନ୍ନ ଉପାଦାନ ସଂଗ୍ରହ କରି କୁଶଳୀ କଳାକାରମାନେ ବିଭିନ୍ନ କ୍ଷେତ୍ରରେ ପରିବେଷଣ କରିଥାନ୍ତି ଓ ଜନମନକୁ ଜୟ କରିଥାନ୍ତି ।

 

ଆଲୋଚ୍ୟ କବି ଭୀମାଧୀବର ତାଙ୍କର ପ୍ରଥମ ଛାନ୍ଦର ମଙ୍ଗଳା ଚରଣରେ କହନ୍ତି, “କହିବାକୁ ଇଚ୍ଛା ମୋର ଭାରତ ବିଧାନ ଯେ କୁରୁପତି ଯୁଧିଷ୍ଟିର ପଶାଖେଳ ରସ । କହିବାକୁ ଇଚ୍ଛା ଛାନ୍ଦ ପ୍ରତିବନ୍ଧ ଭାଷ ଯେ ॥ ବନ୍ଦଇ ମା ଶାରଦା ଝଙ୍କଡ଼ ପୁରବାସୀ । ତୋର ଆଜ୍ଞାହେଲେ ମୂର୍ଖ ପଣ୍ଡିତରେ ମିଶି ଗୋ ।’’ ଏଥିରୁ ଅନୁମତି ହୁଏ ଯେ, ସେ ସାରଳା ମହାଭାରତର ‘ଯୁଧିଷ୍ଟିର-ପଶାଖେଳ ରସ’କୁ କପଟପାଶାର ବିଷୟବସ୍ତୁ ରୂପେ ଗ୍ରହଣ କରି, ତାକୁ ବିସ୍ତାର କରି ବିଭିନ୍ନ ରାଗରାଗିଣୀ ମାଧ୍ୟମରେ ଅତି ଲୋଭନୀୟ ଭାବରେ ପରିବେଷଣ କରିଅଛନ୍ତି ।

 

ରୀତି ଯୁଗୀୟ କବିମାନଙ୍କ ପରି ‘କପଟପାଶା’ରେ ମଙ୍ଗଳାଚରଣ ଓ ବସ୍ତୁ ନିର୍ଦ୍ଦେଶ ରୀତି ଆଚରିତ ହୋଇଥିଲେ ହେଁ, ଭାଷା ପ୍ରୟୋଗ ଦୃଷ୍ଟିରୁ ଏହା ଅତ୍ୟନ୍ତ ଆଧୁନିକ । ଏଥିରେ ପଦଟିଏ ହେଲେ କ୍ଳିଷ୍ଟ ବାକ୍ୟ ଦେଖିବାକୁ ମିଳେନାହିଁ ।

 

ପୁଣି ତୃତୀୟ ଛାନ୍ଦର ପରିସମାପ୍ତି ପଦରେ ସେ କହିଛନ୍ତି, “ଅର୍ଥକୁ ଅର୍ଥ ମିଶାଇ, ପଦକୁ ପଦ ପକାଇ ଛାନ୍ଦ ପ୍ରତିବନ୍ଧରେ’ ମୁଁ କଲଇଁ ଗୀତ x x ।’’ ଏହା ମଧ୍ୟ ଏକ ରୀତିଯୁଗୀୟ ପଦ୍ଧତି ମାତ୍ର । ଭାବଭାଷାକୁ ରାଗରାଗିଣୀଦ୍ଵାରା ନିୟନ୍ତ୍ରିତ କଲେ ଅକ୍ଷର ଗଣିବା ଓ ପଦକୁ ପଦ ମିଶାଇ ଶବ୍ଦ ସଂଯୋଗ କରିବା ଅବଶ୍ୟମ୍ଭାବୀ । କିନ୍ତୁ କପଟପାଶା ପାଠ କଲେ ମନେହୁଏ, ଏହାର ଭାବ ଓ ଭାଷା ସମତାଳରେ ବନ୍ୟନିର୍ଝର ପରି ଛଳଛଳ ନାଦରେ ବୋହି ଚାଲିଛି । ଏହାର ଗତି ଅବାରିତ ଓ ଉଚ୍ଛଳ ।

 

ଏଥିରେ କବିଙ୍କର ସ୍ଵ କଳ୍ପନା ସଂଭୂତ କେତୋଟି ଧର୍ମ ଓ ନୀତି ମୂଳକ ବ୍ୟାଖ୍ୟାନ ରହିଛି । ପୁଣି ରହିଛି କେତୋଟି ଆଞ୍ଚଳିକ ପ୍ରାଚୀନ ଲୋକକଥା, କିମ୍ବଦନ୍ତୀ ଓ କାହାଣୀ । ସ୍ଥାନ, କାଳ ପାତ୍ର ବିବେଚନା ପୂର୍ବକ କବି ସେ ସମସ୍ତ ଉପଯୁକ୍ତ ସ୍ଥାନରେ ଉଲ୍ଲେଖ କରି ସ୍ଵ କବି ପ୍ରତିଭାର ଅମଳିନ ସ୍ଵାକ୍ଷର ଛାଡ଼ି ଯାଇଛନ୍ତି ।

 

ପୁଣି କପଟପାଶାରେ ପରିବେଷିତ ବିଭିନ୍ନ ଗ୍ରନ୍ଥ, ଶାସ୍ତ୍ର, ପୁରାଣର ଆଖ୍ୟାୟିକାରୁ ଜଣାପଡ଼େ ଯେ, ସେ ବିଭିନ୍ନ ଶାସ୍ତ୍ର ପୁରାଣ ଅଧ୍ୟୟନ କରିଥିଲେ । ସଂସ୍କୃତ ଓ ଓଡ଼ିଆ ଭାଷାରେ ରଚିତ ବହୁ ତାଳପତ୍ର ଖେଦା ପାଠକରି ସେ ଏହି ଆଖ୍ୟାୟିକା ମାନ ସଂଗ୍ରହ ପୂର୍ବକ ନିଜ ରଚନାରେ ପ୍ରୟୋଗ କରିଥିବା ସମ୍ଭବ ।

Image

 

କୃଷ୍ଣ ଭକ୍ତ ଭୀମା ଧୀବର

 

କପଟପାଶାର ପ୍ରଥମ ଛାନ୍ଦର ମଙ୍ଗଳା ଚରଣରେ କବି ବିଘ୍ନରାଜ ଗଣେଶ ଓ ଝଙ୍କଡ଼ପୁର ବାସୀ ଶାରଦାଙ୍କୁ ଚିରାଚରିତ ପ୍ରଥାମତେ ବନ୍ଦନା କରି ‘ପଶାଖେଳ ରସ’ ବୟାନ କରିବାକୁ ଆଜ୍ଞା ମାଗିଥିଲେ ହେଁ, ନିମ୍ନଲିଖିତ ପଦ୍ୟାଂଶରେ ନିଜକୁ କୃଷ୍ଣଭକ୍ତ ରୂପେ ଘୋଷଣା କରିଅଛନ୍ତି ।

 

“କହେ ହୀନ ଭୀମା କୃଷ୍ଣ ଚରଣେ ଆଶ ।’’ ତୃତୀୟ ଛାନ୍ଦ ।

“ମନ ପବନ ଚୈତନ୍ୟ ଧ୍ୟାନ ଗୋବିନ୍ଦ ପାଦେ ଦେଇ ।’’ ସପ୍ତମ ଛାନ୍ଦ ।

“କହଇ ଭୀମା କୃଷ୍ଣ ଚରଣେ ଆଶ ହେ ।’’ ନବମ ଛାନ୍ଦ ।

 

ଏଠାରେ ଉଲ୍ଲେଖନୀୟ ଯେ, ବଙ୍ଗଦେଶରୁ ଶ୍ରୀ ଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ପୁରୀ ଧାମକୁ ଆସି ଧର୍ମ ଜଗତରେ ଗୌଡ଼ୀୟ ବୈଷ୍ଣବବାଦର ପ୍ରଚାର, ପ୍ରସାର ଓ ପ୍ରତିଷ୍ଠା କରିଥିଲେ । ଚୈତନ୍ୟ ପ୍ରଚାରିତ ଭକ୍ତି ଧର୍ମର ସାରକଥା ହେଲା, “ସମଗ୍ର ଭାବରେ ଈଶ୍ଵର ନିବେଦିତ ଜୀବନ ।’’ ଓଡ଼ିଶାର ତତ୍କାଳୀକ ସମ୍ରାଟ ପ୍ରତାପରୁଦ୍ର ଚୈତନ୍ୟଙ୍କ ଶିଷ୍ୟତ୍ଵ ଗ୍ରହଣ କରି ଗୌଡ଼ୀୟ ବୈଷ୍ଣବବାଦର ପରମପୃଷ୍ଠପୋଷକତା କରିଥିଲେ ଓ ଚୈତନ୍ୟଙ୍କ ଧର୍ମ ରାଜପୃଷ୍ଠପୋଷକତା ଲାଭକରି ଓଡ଼ିଶାର ସର୍ବତ୍ର ପ୍ରଚାରିତ ହୋଇଥିଲା ।

 

ଆଲୋଚ୍ୟ କବି ଭୀମାଧୀବର ଏହି ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଭକ୍ତ ଥିଲେ ଓ ଶ୍ରୀ କୃଷ୍ଣଙ୍କୁ ପରମ ଆରାଧ୍ୟ ରୂପେ ଗ୍ରହଣ କରିଥିଲେ ।

 

ବୈଷ୍ଣବ କବିର ଆତ୍ମା ମୁଖ୍ୟତଃ ‘ଦୈନ୍ୟ ବୋଧିକା’ ଭାବରେ ପରିପୂର୍ଣ୍ଣ ଥାଏ । ତା’ ମନରେ ଦୀନଭାବ ଓ କ୍ଷୁଦ୍ରାତିକ୍ଷୁଦ୍ର ଭାବ ରହିଥାଏ । କପଟପାଶାରେ କବି ଭୀମାଧୀବରଙ୍କ ‘ଦୈନ୍ୟ ବୋଧିକା’ ଭାବ’ ପ୍ରକଟ ହୋଇଛି । ସେ ନିଜକୁ ନିମ୍ନଲିଖିତ ମତେ ଉପସ୍ଥାପିତ କରି ଭକ୍ତ ହୃଦୟର ପରିଚୟ ମାତ୍ର ଦେଇଛନ୍ତି ।

 

‘ବୋଲେ ଭୀମାହୀନ ପ୍ରବେଶ ହୋଇଲ ବାରୁଣାବନ୍ତ ନଗର ।’

କହେ ହୀନଭୀମା କୃଷ୍ଣ ଚରଣେ ଆଶ । ତୃତୀୟ ଛାନ୍ଦ ।

ଭୀମ ଦୀନ ନିରନ୍ତରେ ଶରଣ । ପଞ୍ଚମ ଛାନ୍ଦ ।

ଶରଣ ମାଗୁଛି ପାଦେ ଭୀମା ପାମର । ଅଷ୍ଟମ ଛାନ୍ଦ ।

 

କୃଷ୍ଣଙ୍କ ଜୟଗାନ

 

କବି ଭୀମା କପଟପାଶାର ଚତୁର୍ଥ ଛାନ୍ଦ ଆରମ୍ଭରେ ଲେଖିଛନ୍ତି,

“କର୍ଣ୍ଣ ମନ ଦେଇ ଶୁଚିମନ୍ତ ହୋଇ ଶୁଣ ଜନେ କୃଷ୍ଣ ରସ ।

କଳାକରମୟେ ଅନ୍ଧାର ପରାୟେ ଦ୍ରୌପଦୀ ଦୁଃଖ ବିନାଶ ହେ ଶୁଣ ।

ଭଜ ନିରତେ ପଦ୍ମଚରଣ ହେ । xxx

 

କପଟପାଶାରେ ଦୁର୍ଯ୍ୟୋଧନ ଓ ଯୁଧିଷ୍ଠିରଙ୍କ ପଶାଖେଳ ଓ ପରିଣତିରେ ଦ୍ରୌପଦୀଙ୍କ ଦେହର ବସ୍ତ୍ରହରଣ ବୃତ୍ତାନ୍ତ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣିତ ହୋଇଥିଲେ ମଧ୍ୟ, ଭଗବାନ ଶ୍ରୀକୃଷ୍ଣଙ୍କର ମହିମାକୁ ପ୍ରାଧାନ୍ୟ ଦିଆଯାଇ ଥିବାର ଲକ୍ଷ୍ୟ କରାଯାଇଥାଏ ।

 

ଚତୁର୍ଥ ଛାନ୍ଦରେ ଦ୍ରୌପଦୀଙ୍କ କେଶ ଧରି ଦୁଃଶା କୁରୁସଭା ଭିତରକୁ ଭିଡ଼ି ନେଇଛି ଓ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ପରିହାସ କରି କହିଛି,

 

‘‘ଏଥର ତୋତେ ରଖନ୍ତୁ ପାଞ୍ଚ ଗେରସ୍ତ ଗୋ । ତୋର ପରମାନନ୍ଦ ଅଚ୍ୟୁତ ଗୋ । କିମ୍ପା ହେଉଛୁ ଏଡ଼େ ଆରତ ଗୋ ।’’ ଇତ୍ୟାଦି ।

 

ଏହାଶୁଣି ପଞ୍ଚମ ଛାନ୍ଦରେ ଦ୍ରୌପଦୀ କହୁଛନ୍ତି, “କିମ୍ପା ନିନ୍ଦୁଛ ପ୍ରଭୁ ନାରାୟଣ । ତାଙ୍କ ମହିମା ନାହିଁକି ଶୁଣିଣ ?” ଦୁର୍ଯ୍ୟୋଧନ ଏହାପରେ ଦୁଃଶାସନକୁ କହିଛି, “ହରି କେମନ୍ତେ ଏହାକୁ ରଖିବ । ଫେଡ଼ ବସନ ମନୁ ପ୍ରତେଯିବ ।’’

 

ଦ୍ରୌପଦୀ ଉପସ୍ଥିତ ଲଜ୍ଜାରୁ ନିସ୍ତାର ପାଇବା ଆଶାରେ ପଞ୍ଚ ପାଣ୍ଡବଙ୍କ ସାହାଯ୍ୟ କାମନା କରିଛନ୍ତି । କିନ୍ତୁ ନିରାଶ ହେବାପରେ ସେହି ଶ୍ରୀ କୃଷ୍ଣଙ୍କୁ ସ୍ମରଣ କରିଛନ୍ତି । ଏକଥା ବର୍ଣ୍ଣନା କରିବାକୁ ଯାଇ ଅଷ୍ଟମ ଛାନ୍ଦରେ କବି କହିଛନ୍ତି, “ଦ୍ରୌପଦୀ ଡାକିଲେ ରଖ ଶ୍ରୀ ଭଗବାନ । ତୁମ୍ଭେ ନ ରଖିଲେ ମୁଁ ଯେ ହେଲି ଅନାଥ । ଦ୍ରୌପଦୀର ଡାକ ପ୍ରଭୁ ଶ୍ରବଣ କରି । ରଖିଲୁ ରଖିଲୁ ଆମ୍ଭେ ବୋଲି ବୋଇଲେ ।’’ ଏହାପରେ, “ସତ୍ୟଭାମା ଘେନି ପ୍ରଭୁ ବିଜୟ କରି । ପ୍ରବେଶ ହୋଇଲେ ଯାଇ ହସ୍ତୀନାପୁରେ । ଅଦୃଶ୍ୟ ହୋଇ ରହିଲେ ଅନ୍ତରୀକ୍ଷରେ । ମୁଖଟେକି ଦ୍ରୌପଦୀ ଯେ ଦେଲେ ଅନାଇ । ଗରୁଡ଼ ପିଠିରେ ବିଜେ ତ୍ରୈଲୋକ୍ୟ ସାଇଁ ।’’ ଶ୍ରୀ କୃଷ୍ଣଙ୍କ ପରାମର୍ଶ କ୍ରମେ ଦ୍ରୌପଦୀ ଆଦିତ୍ୟଙ୍କୁ ପ୍ରାର୍ଥନା କଲେ । ଏଣେ ଦୁର୍ଯ୍ୟୋଧନଠାରୁ ଆଦେଶ ଲାଭକରି, “ଶୁଣି ଉଠିଲା ଦୁଃଶା ପାମର ହୀନ ଯେ । କରେ ଉଛୁଡ଼ି ଅଙ୍ଗୁ ବସନ, କାଢ଼ଇ ଧୃତରାଷ୍ଟ୍ର ନନ୍ଦନ, ଖଣ୍ଡେ କାଢ଼ନ୍ତେ ଖଣ୍ଡେକ ପୁଣି ଦେଖେ ନୟନ ଯେ । ବସ୍ତ୍ର ଫେଡ଼ିଲା ବୀର ଦ୍ଵାଦଶ ଘଡ଼ି ଯେ । ତାଟକା ହୋଇ ଆଉ ନ ପାରେ କାଢ଼ି ହେ ।’’

 

ଏହିପରି ଭାବରେ କପଟପାଶାରେ କୃଷ୍ଣଭକ୍ତ ଭୀମା ତାଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କର ମହିମାଗାନ କରିଅଛନ୍ତି ।

Image

 

ସାମାଜିକ ନରନାରୀ ସମ୍ପର୍କ ତଥା ବିଧି ଓ ନିଷେଧ ବ୍ୟାଖ୍ୟା

 

କପଟ ପାଶାରେ ବର୍ଣ୍ଣିତ ନରନାରୀ ସମ୍ବନ୍ଧ ତଥା ସାମାଜିକ ବିଧି ଓ ନିଷେଧ ଆଦିର ବର୍ଣ୍ଣନା ଓ ପ୍ରଚାର ଏ ଗ୍ରନ୍ଥର ଅନ୍ୟତମ ଆକର୍ଷଣ ରୂପେ ବିବେଚିତ ହୋଇଥାଏ ।

 

ତୃତୀୟ ଛାନ୍ଦରେ ‘ଦୁଃଶାସାନ’ ବଡ଼ଭାଇ ଦୁର୍ଯ୍ୟୋଧନର ଆଜ୍ଞାରେ ପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କୁ କୁରୁସଭାକୁ ନେଇ ଯିବା ପାଇଁ, ପାଣ୍ଡବମାନେ ବାସ କରୁଥିବା ବାରୁଣାବନ୍ତରେ ପ୍ରବେଶ କରିବା ବର୍ଣ୍ଣନା ଦିଆଯାଇଛି । ସେ ସିଂହଦ୍ଵାରରେ ପହୁଞ୍ଚିଲାବେଳେ ଦେଖିଛି, ପାଣ୍ଡବମାତା କୁନ୍ତୀ ସିଂହଦ୍ଵାର ମାଡ଼ି ବସିଛନ୍ତି । କୁନ୍ତୀଙ୍କ ପ୍ରଶ୍ନକ୍ରମେ ଦୁଃଶାସନ ଜୁଆଖେଳ କଥା ପ୍ରକାଶ କରିଛି । ଏହାଶୁଣି କୁନ୍ତୀ କହିଛନ୍ତି, ଦ୍ରୌପଦୀ ପ୍ରଥମ ପତ୍ନୀ ଅଟେ ।

 

ପ୍ରଥମ ପୀଢ଼ରେ ତାକୁ ହାରିଥିଲେ, କୁରୁସଭାକୁ ନେବା ନ୍ୟାୟୋଚିତ ହୋଇଥାନ୍ତା । ଷଷ୍ଠ ପୀଢ଼ରେ ତାକୁ (ଦ୍ରୌପଦୀଙ୍କୁ) ହାରି ଥିବାରୁ, ସେ ପୀଢ଼ର ମୂଲ୍ୟ କମି ଯାଇଛି । ପୁଣି ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ । ଏଥିପାଇଁ ପତ୍ନୀକୁ ଦୋଷ ଦେବା ସର୍ବଦା ଅନ୍ୟାୟ ଅଟେ-

 

କୁନ୍ତୀ ଦେବୀଙ୍କର ଏ ଉତ୍ତର ତତ୍କାଳୀନ ସାମାଜିକ ବିଧି ବ୍ୟବସ୍ଥାର ସୂଚନା ଦେଉଛି ।

 

ଚତୁର୍ଥ ଛାନ୍ଦରେ ଦ୍ରୌପଦୀ ଦୁଃଶାସନକୁ ନିଜର ରଜୋବତୀ ଅବସ୍ଥା କଥା ଜଣାଇ, ରଜୋବତୀ ନାରୀକୁ ପୁରୁଷ ସ୍ପର୍ଶକଲେ କିକି ଦୋଷ ହୁଏ ତାହା ନିମ୍ନମତେ ପ୍ରକାଶ କରିଅଛନ୍ତି ।

 

“ଦ୍ରୌପଦୀ ବୋଇଲେ ପ୍ରଥମ ଦିନରେ, ରଜୋବତୀ ଯେବେ ହୋଇ । ସେ ଦିନ ପୁରୁଷ ସ୍ତିରୀଙ୍କି ଛୁଇଁଲେ ଲିଙ୍ଗଭଗ୍ନ ଦୋଷ ପାଇରେ । ବୀର । ଏବେ ଶୁଣ ଦ୍ଵିତୀୟ ଦିନର ରେ । ଅଙ୍ଗ ଛୁଇଁଲେ ରଜସ୍ଵଳାର ରେ । ଗୁରୁହତ୍ୟା ଦୋଷ ହୁଏ ତାରରେ ।

 

ତୃତୀୟ ଦିନରେ ସ୍ତିରୀଙ୍କି ଛୁଇଁଲେ ବ୍ରହ୍ମହତ୍ୟା ଦୋଷ ପାଇ । ଚତୁର୍ଥ ଦିନରେ ବାଳହତ୍ୟା ଦୋଷ ପଞ୍ଚମେ ମାତୃ ହରଇ ରେ । ବୀର । ଷଷ୍ଠ ଦିନରେ ଏହି ପ୍ରକାରରେ । ସପ୍ତ ଦିନରେ ଶୁଦ୍ଧ ଶରୀରରେ । ଗନ୍ଧ ଅଏଁଳା ଘେନି ଶରୀରରେ । ଦେହେ ଲେପି ଗୋମୟ ଅଗୁରରେ-। ରାତ୍ରି ପହରେ ଥାଇ ବାହାରରେ । ନଦୀଜଳେ ପଶି ସ୍ନାନ କରିସାରି ତଦନ୍ତରେ କୂଳେଉଠି । ଓଦାବାସ ପିନ୍ଧି କେଣିକି ନ ଚାହିଁ ଘରକୁ ଆସେ ଲେଉଟି ସେ । ନାରୀ ଶାଶୁ ଶ୍ୱଶୁରଙ୍କୁ ସେବା କରି ସେ । ଗୁରୁ ବ୍ରାହ୍ମଣେ ପ୍ରଣାମ କରି । ଗୃହ କୁଟୁମ୍ବେ ଯାଇଁ ଆଦରି ସେ ! ଦିବସର ଶେଷେ ରଜନୀ ପ୍ରବେଶ ସୁବେଶ କରିଣ ଅଙ୍ଗ । ଶୟନ ଶଯ୍ୟାରେ କାନ୍ତ ଅଙ୍ଗ ସଙ୍ଗ କରେ ରସକ୍ରୀଡ଼ା ରଙ୍ଗସେ । ଦିନ । ରଜବୀର୍ଯ୍ୟ ହୁଏ ଏକ ସ୍ଥାନ ସେ । ଜନ୍ମହୁଏ ଅପୂର୍ବ ନନ୍ଦନ ସେ । ଲକ୍ଷେ ପ୍ରାଣୀ ପୋଷଣେ ଭାଜନ ସେ ।’’

 

ଏଥିରେ ସାମାଜିକ ନରନାରୀ ସମ୍ପର୍କ ତଥା ବିଧି ଓ ନିଷେଧ କଥା ବ୍ୟକ୍ତ କରା ଯାଇଛି-

Image

 

ଆଉ କେତୋଟି ପ୍ରସଙ୍ଗ

 

ଭୀମାଧୀବର ଯେଉଁ ସମୟରେ ଗ୍ରନ୍ଥ ରଚନା କରୁଥିଲେ, ସେହି ସମୟରେ ରେଢ଼ାଖୋଲ ଏକ ସାମନ୍ତ ରାଜ୍ୟ ଥିଲା । ସାମନ୍ତ ରାଜାମାନେ କବିମାନଙ୍କୁ ଉତ୍ତମ ପୃଷ୍ଠପୋଷକତା ପ୍ରଦାନ କରି କାବ୍ୟ କବିତାମାନ ଲେଖାଉ ଥିଲେ । କିନ୍ତୁ କପଟପାଶାର ଲେଖକ ରାଜ ପୃଷ୍ଠପୋଷକତା ଲାଭ କରିବା ନିମନ୍ତେ, ରାଜାଙ୍କର ଦ୍ଵାରସ୍ଥ ହୋଇ ନାହାନ୍ତି । କିନ୍ତୁ ଏହାରି ପରିବର୍ତ୍ତେ ସେ ଜନତାର ସମର୍ଥନ ଲାଭ କରିଛନ୍ତି । ସାଧନାରତ ସଂଗ୍ରାମୀ କବି ଭୀମା, ନିଜ ଉଦ୍ୟମ, ନିଜ ପ୍ରତିଭା ବଳରେ ଯେ କପଟପାଶାକୁ କେବଳ ନିଜ ଯୁଗ ପାଇଁ ନୁହେଁ, ବହୁ ଆଗାମୀ ଯୁଗ ପାଇଁ ପ୍ରତିଷ୍ଠା କରିଗଲେ ଏଥିରେ ମତଦ୍ୱୈଧର ଅବକାଶ ନାହିଁ ।

 

‘କପଟପାଶା’ ଗ୍ରନ୍ଥରେ ରାଜା ଜମିଦାରମାନଙ୍କ ନାମୋଲ୍ଲେଖ ନାହିଁ । ବରଂ ସେ ଜନସାଧାରଣଙ୍କ ନିକଟରୁ ବିପୁଳ ଉତ୍ସାହ ଓ ପୃଷ୍ଠପୋଷକତା ଲାଭ କରିଥିବା ଅନୁମିତ ହୁଏ । କାରଣ ସେ ପ୍ରତ୍ୟେକ ଛାନ୍ଦରେ ତାଙ୍କର ପାଠକମାନଙ୍କୁ ସମ୍ବୋଧନ କରି ନିଜ କାହାଣୀ ଶୁଣାଇଛନ୍ତି-। ତାଙ୍କ ପାଠକମାନେ ତାଙ୍କ ଆଖିରେ ସୁଜ୍ଞଜନ, ସାଧୁଜନ ବା ସୁଜନ । ପାଠକକୁଳର ଗୁଣମୁଗ୍ଧ କବି ଭୀମାଧୀବର ନିଜକୁ ବିନମ୍ର ସହକାରେ ‘ଭୀମା ପାମର’, ‘ଭୀମା ଦୀନ’, ‘ହୀନ ଭୀମା’ ଭାବରେ ଉପସ୍ଥାପିତ କରି ‘ଦୋଷାଦୋଷ’ କ୍ଷମା କରିବାକୁ ନିବେଦନ କରିଅଛନ୍ତି ।

 

‘କପଟପାଶା କିପରି ଲେଖା ହେଲା ?’ ଏ ବିଷୟରେ ନିଜ ପକ୍ଷରୁ ନିଜେ ବ୍ୟକ୍ତ କରିଅଛନ୍ତି ଯେ, ଅର୍ଥକୁ ଅର୍ଥ ମିଶାଇ, ପଦକୁ ପଦ ଯୋଡ଼ି, ଛାନ୍ଦ ପ୍ରତିବନ୍ଧରେ ସେ ଏ ଗୀତ ରଚନା କରିଛନ୍ତି । ସେ ‘ଭାରତ’ର ‘କୁରୁପତି ଯୁଧିଷ୍ଠିର ପଶାଖେଳ ରସ’ କହିବାକୁ ଇଚ୍ଛାପୋଷଣ କରିଥିବା କଥା ବ୍ୟକ୍ତ କରିଅଛନ୍ତି ।

 

ସପ୍ତଦଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟରେ ରୀତି ଯୁଗର କାବ୍ୟ ଆଦର୍ଶ ଅନୁସୃତ ହେଉଥିଲା ବେଳେ, ରେଢ଼ାଖୋଲ ରାଜ୍ୟର ଭୀମାଧୀବର କେବଳ ରାଗରାଗିଣୀରେ ରୀତିଯୁଗୀୟ ପରମ୍ପରା ଅନୁସରଣ କରି ପ୍ରକାଶ ଭଙ୍ଗୀରେ ସହଜ, ସରଳ, ତରଳ ଭାଷାର ଚିତ୍ତାକର୍ଷକ ପ୍ରୟୋଗ କରିବାରେ ସକ୍ଷମ ହୋଇଥିଲେ । କପଟପାଶାର ସଙ୍ଗୀତଗୁଡ଼ିକ ସରଳ, ସୁବୋଧ୍ୟ ଓ ପ୍ରାଣସ୍ପର୍ଶୀ ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକପ୍ରିୟତା ଅର୍ଜନ କରିଥିଲା ।

 

କପଟପାଶାର ପରିବେଶ ଓ ପରିସ୍ଥିତିରେ ଖାଣ୍ଟି ଓଡ଼ିଆ ଚଳଣି ପରିଲକ୍ଷିତ ହେଉଥିବାରୁ ଏହା ଜନସାଧାରଣଙ୍କ ମନକୁ ଆକୃଷ୍ଟ କରିବାରେ ସକ୍ଷମ ହେଲା ।

 

‘କପଟପାଶାର ରଚନାରେ ମୌଳିକତା ଓ ନୂତନତାର ଇଙ୍ଗିତ ସୁସ୍ପଷ୍ଟ । ତେଣୁ ଦୁଇଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଏ ପୁସ୍ତକର ଚିତ୍ତବିନୋଦନ ଓ ନୈତିକ ଶିକ୍ଷା ଉଭୟ ଦିଗରୁ ଓଡ଼ିଆମାନଙ୍କର ଆଦରଣୀୟ ହୋଇ ରହିଛି ।

 

କବି ଭୀମାଧୀବର ଓ କପଟପାଶା :

 

ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସାହିତ୍ୟିକ, ଗବେଷକ ଓ ସମାଲୋଚକ ଅଷ୍ଟାଦଶ ଶତାବ୍ଦୀର କବି ଭୀମାଧୀବରଙ୍କ ସମ୍ପର୍କରେ ଉନ୍ନତ ତଥା ଅନୁକୂଳ ମତ ଓ ମନ୍ତବ୍ୟମାନ ପ୍ରକାଶ କରିଅଛନ୍ତି ।

 

ଏ ପର୍ଯ୍ୟନ୍ତ ଭୀମାଧୀବରଙ୍କଦ୍ଵାରା ରଚିତ ‘କପଟପାଶା’ ଓ ‘ଭାରତ ସାବିତ୍ରୀ’ ଲୋକ ଲୋଚନକୁ ଆସିଛି । ଏତଦ୍ ବ୍ୟତୀତ ସେ ଆହୁରି ଅନେକ ଗ୍ରନ୍ଥ ରଚନା କରିଥିବା ଜଣାଯାଏ । ଭୀମାଧୀବରଙ୍କ ଅପ୍ରକାଶିତ ରଚନାବଳୀ ‘ରେଢ଼ାଖୋଲ’ ନିକଟସ୍ଥ ଗ୍ରାମମାନଙ୍କରେ ତାଳପତ୍ର ପୋଥି ଆକାରରେ ପଡ଼ି ରହିଥିବାର ଶୁଣିବାକୁ ମିଳେ । ଏ ସମସ୍ତ ସଂଗ୍ରହ କରି ପ୍ରକାଶ କରାଗଲେ, ଭୀମାଧୀବରଙ୍କ ଚିନ୍ତା ଓ ଚେତନାର ପ୍ରଶସ୍ତ କ୍ଷେତ୍ର ଯେ ଦୃଷ୍ଟି ପଥାରୂଢ଼ ହୁଆନ୍ତା, ଏଥିରେ ସନ୍ଦେହ ନାହିଁ ।

 

‘କପଟପାଶା’ ପରି ଏକ କ୍ଷୁଦ୍ରାବୟବ ବିଶିଷ୍ଟ ଗ୍ରନ୍ଥ କ୍ଷୁଦ୍ର ପରିସର ମଧ୍ୟରେ ଯେ ମହାଭାରତର ‘ପଶାଖେଳ’ ବିଷୟବସ୍ତୁର ଅବତାରଣା କରି ତହିଁରେ ପାଣ୍ଡବ ପାଞ୍ଚଭାଇ, ଦ୍ରୌପଦୀ, ଦୁର୍ଯ୍ୟୋଧନ ଓ ଦୁଃଶାସନ ପ୍ରଭୃତିଙ୍କର ସମ୍ପୂର୍ଣ୍ଣ ଚରିତ୍ର ତଥା ଶ୍ରୀକୃଷ୍ଣଙ୍କ ଭକ୍ତ ପ୍ରତି ଥିବା ଦୟାର ଚିତ୍ରକୁ ସଫଳ ଭାବରେ ରୂପାୟିତ କରି ପାରିଛନ୍ତି । ଏହାଙ୍କର ରଚନାଭଙ୍ଗୀ ପୁରାଣ ପରି ହୋଇଛି ଓ ଶ୍ରୋତାବକ୍ତା ପ୍ରଶ୍ନ ଉତ୍ତର ଛଳରେ ବିଷୟବସ୍ତୁ ସଜ୍ଜିତ ହୋଇଛି ।

 

କପଟପାଶାରେ କବି ଭୀମାଧୀବରଙ୍କ ବର୍ଣ୍ଣନା ଶୈଳୀ, ଶବ୍ଦ ସଂଯୋଜନା, ପଦଲାଳିତ୍ୟ ଓ ପ୍ରକୃତି ବର୍ଣ୍ଣନା ଅତି ଉଚ୍ଚକୋଟୀର ହୋଇ ପାରିଛି । ଭକ୍ତିରସ ପୁସ୍ତକର ମୁଖ୍ୟ ରସ ହୋଇଥିଲେ ମଧ୍ୟ ବିଭିନ୍ନ ଛାନ୍ଦରେ ଆଉ କେତୋଟି ରସର ଅବତାରଣା କରାଯାଇଛି ।

 

ପ୍ରସଙ୍ଗ କ୍ରମେ ‘ରେଢ଼ାଖୋଲ’

 

ଓଡିଆ ସାହିତ୍ୟରେ ଭୀମ ନାମ ଧାରଣ କରିଥିବା କବିତ୍ରୟଙ୍କ ମଧ୍ୟରୁ ସୁପ୍ରସିଦ୍ଧ ‘କପଟପାଶା’ ପୁସ୍ତକର ରଚୟିତା ‘ଭୀମାଧୀବର’, ରେଢ଼ାଖୋଲର କବି ଥିବାର ନିଶ୍ଚିତ ଭାବରେ ଜଣାଯାଇଛି । ସେ ରେଢ଼ାଖୋଲ ସବ୍‍ଡିଭିଜନ୍‍ (ଇଲାକା)ର ‘ବୁର୍‍ଡ଼ା’ ଗ୍ରାମରେ ଏକ ଧୀବର ବା କୈବର୍ତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

 

ପୁଣି ଉନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଆଦିବାସୀ(କନ୍ଧ) କବି ‘ଭୀମଭୋଇ’ ଏହି ରେଢ଼ାଖୋଲ ରାଜ୍ୟର କଙ୍କଣପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବୋଲି କେତେକ ଆଲୋଚକ ମତପ୍ରକାଶ କରିଥାନ୍ତି ।

 

କିନ୍ତୁ ପ୍ରଥମ ଓ ଜ୍ୟେଷ୍ଠ କବି ଭୀମ ଦାସ (ସପ୍ତଦଶ ଶତାବ୍ଦୀ) ପୁରୀ ଜିଲ୍ଲାର ମଳିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

 

ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ଜନ୍ମ ଗ୍ରହଣ କରିଥିବା ଭୀମାଧୀବର ଓ ଭୀମ ଭୋଇଙ୍କୁ ଜନ୍ମଦେଇ ‘ରେଢ଼ାଖୋଲ’ ଓଡ଼ିଆ ସାହିତ୍ୟର ଇତିହାସରେ ଖ୍ୟାତି ଲାଭ କରିଛି ।

 

ତେଣୁ ଏ ପୁସ୍ତକରେ ରେଢ଼ାଖୋଲର ବର୍ଣ୍ଣନା ଅପ୍ରାସଙ୍ଗିକ ହେବନାହିଁ ।

 

ସମ୍ବଲପୁରର ହୀରାଖଣ୍ଡ ରାଜ୍ୟର ଛତ୍ରପତି ମହାରାଜାମାନେ ଅଠରଗଡ଼ଜାତର ଶାସକ ଥିଲେ । ସେହି ଅଠରଗଡ଼ଜାତର ନାମ ହେଲା, (୧) ପାଟଣା (୨) ସୋନପୁର (୩) ବୋଡ଼ାସମ୍ବର (୪) ଫୁଲଝର (୫) ସାରଙ୍ଗଗଡ଼ (୬) ରାୟଗଡ଼ (୭) ବରଗଡ଼ (୮) ଶକ୍ତି (୯) ବସ୍ତର (୧୦) ବିନ୍ଦ୍ରା ନୂଆଗଡ଼ (୧୧) ସୁରଗୁଜା (୧୨) ବାମଣ୍ଡା (୧୩) ବଣାଇ (୧୪) ପାଲ ଲହଡ଼ା (୧୫) ବୌଦ (୧୬) ଆଠମଲ୍ଲିକ (୧୭) ରେଢ଼ାଖୋଲ ଓ (୧୮) ଗାଙ୍ଗପୁର । ରେଢ଼ାଖୋଲ ହୀରାଖଣ୍ଡ ବା ସମ୍ବଲପୁର ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ।

 

ଶ୍ରୀ ଶିବ ପ୍ରସାଦ ଦାଶ ତାଙ୍କର ‘ସମ୍ବଲପୁର ଇତିହାସ’ରେ ଉଲ୍ଲେଖ କରିଅଛନ୍ତି ଯେ, ରେଢ଼ାଖୋଲ ଅଞ୍ଚଳ ସମ୍ବଲପୁର ଅଧିନସ୍ଥ ଏକ ଜମିଦାରୀ ଥିଲା । କିନ୍ତୁ ପରେ ଏ ରାଜ୍ୟ ସ୍ୱାଧୀନତା ଘୋଷଣା କରିଥିଲା ।

 

ବର୍ତ୍ତମାନ ରେଢ଼ାଖୋଲ ସମ୍ବଲପୁର ଜିଲ୍ଲାର ଏକ ସବ୍‍ଡିଭିଜନ୍‍ ହୋଇ ରହିଛି । ଏହି ସବ୍‍ଡିଭିଜନ୍‍ର ପୂର୍ବରେ ଅନୁଗୁଳ ଆଠମଲ୍ଲିକ, ପଶ୍ଚିମରେ ସମ୍ବଲପୁର, ଉତ୍ତରରେ ବାମଣ୍ଡା ଏବଂ ଦକ୍ଷିଣରେ ସୋନପୁର ଅବସ୍ଥିତ । ସୁଘଞ୍ଚ, ଶ୍ୟାମ ବନାନୀ ମଣ୍ଡିତ ପାହାଡ଼ ଓ ପର୍ବତ ଘେରା ରେଢ଼ାଖୋଲ ରାଜ୍ୟ ଓଡ଼ିଶାରେ ଐତିହାସିକ ଓ ଭୌଗଳିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।

 

ସୋମଗୁପ୍ତ ବଂଶର ତାମ୍ର ଶାସନରେ ରାଢ଼ାପମ୍ବଲ୍ଲୀ କନ୍ଦର’ର ନାମ ଉଲ୍ଲେଖ ଅଛି । ଏହି ‘ରାଢ଼ାପମ୍ବଲ୍ଲୀ କନ୍ଦର’ ଆଧୁନିକ ନାମ ରେଢ଼ାଖୋଲ ।

 

‘ଖୋଲ’ ଏକ ଦେଶଜ ଶବ୍ଦ । ସମ୍ବଲପୁର ଅଞ୍ଚଳରେ ଗିରି ଶଙ୍କଟ ବା ଘାଟ’ (Ghat)କୁ ଖୋଲ କୁହା ଯାଇଥାଏ । ଏହାର ଶୁଦ୍ଧ ସଂସ୍କୃତ ନାମ ହେଲା ‘କନ୍ଦର’ ।

 

ଏ ରାଜ୍ୟ ପ୍ରାଚୀନ କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ପ୍ରାଚୀନ କୋଶଳ ଖଣ୍ଡରେ ଅସଂଖ୍ୟ ପାର୍ବତ୍ୟ ଦୁର୍ଗ ଥିଲା । ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ତଥା ଶତ୍ରୁ କବଳରୁ ରକ୍ଷା ପାଇବା ନିମନ୍ତେ ପାହାଡ଼ ଓ ପର୍ବତ ଘେରା ଅଧିତ୍ୟକାମାନଙ୍କରେ ବହୁଦୁର୍ଗ ସ୍ଥାପିତ ହୋଇଥିଲା । ଅଧିତ୍ୟକାର ପ୍ରବେଶ ପଥରେ ବା ଗିରିସଙ୍କଟମାନଙ୍କରେ ଶାସକଙ୍କର ସୈନ୍ୟଛାଉଣୀମାନ ଥିଲା । ଏହି ଗିରିସେନା ଶତ୍ରୁର ଅଭିଯାନକୁ ପ୍ରତିହତ କରୁଥିଲେ । ‘ରେଢ଼ାଖୋଲ’ ପୂର୍ବେ ଏକ ଗିରିଶଙ୍କଟ ରୂପେ ପରିଚିତ ଥିଲା ଓ ଏଠାରେ ଶାସକଙ୍କ ପକ୍ଷରୁ ‘ଗିରିସେନା’ ଥିଲା । ସେହି ସମୟରୁ ଏହା ‘ରେଢ଼ାଖୋଲ’ ଭାବରେ ଚିହ୍ନଟ ହୋଇଛି ।

 

ଏହା ଖୋଲ ବା ଗିରି ସଙ୍କଟର ଏକ ‘ରେଢ଼ା’ ବା ‘ଅବରୋଧ’ ସ୍ଥାନ ଅଟେ ।

 

ବିଲ, ପୋଖରୀ ବା ନଈର କ୍ଷୀଣ ସ୍ରୋତରେ ରେଢ଼ା (ବାଉଁଶ କାଠିରେ ନିର୍ମିତ ଏକ ମୁଗୁରା ଜାତୀୟ ଜିନିଷ) ବସାଇ ମାଛ ମରାଯାଏ । ପଶ୍ଚିମ ଓଡ଼ିଶାରେ ଏହାକୁ ‘ରେଢ଼ାଛେକା’ ବୋଲି କହିଥାନ୍ତି ।

 

ପଞ୍ଚଖଣ୍ଡା ଭୁଇଁ

 

ରେଢ଼ାଖୋଲକୁ ସ୍ଥାନୀୟ ଅଧିବାସୀମାନେ ‘ପଞ୍ଚଖଣ୍ଡା ଭୂଇଁ’ ବୋଲି ପରିଚୟ ଦେଇଥାନ୍ତି । ରେଢ଼ାଖୋଲ ନୀଳକଟସ୍ଥ ନିଘଞ୍ଚ ଅରଣ୍ୟ ମଧ୍ୟରେ ‘ପଞ୍ଚଖଣ୍ଡା’ ଦେବତାଙ୍କର ପୀଢ଼ ରହିଛି । ସ୍ଥାନୀୟ ଲୋକମାନେ ସେହି ପୀଢ଼ରେ ଥିବା ପାଞ୍ଚଗୋଟି ଖଣ୍ଡାକୁ ଫୁଲ ସିନ୍ଦୂର ଦେଇ ପୂଜା କରନ୍ତି । ଏହି ପଞ୍ଚଖଣ୍ଡା ମୂଳରେ ଏକ ପୌରାଣିକ କିମ୍ବଦନ୍ତୀ ରହିଛି । କୁହାଯାଏ ଯେ, ମହାଭାରତର ପଞ୍ଚ ପାଣ୍ଡବ ଯେତେବେଳେ ପଶାଖେଳରେ ହାରିଯାଇ ଅଜ୍ଞାତ ବନବାସ କରୁଥିଲେ, ସେତେବେଳେ ସେମାନେ ଓଡ଼ିଶାରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ । ଏହି ଅଜ୍ଞାତ ବନବାସ କାଳରେ ସେମାନେ ରେଢ଼ାଖୋଲର ନିଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରବେଶ କରି ସେଠାରେ କିଛିକାଳ ଅତିବାହିତ କରିଥିଲେ । ପଞ୍ଚପାଣ୍ଡବ ରେଢ଼ାଖୋଲ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ଧାରଣ କରୁଥିଲେ । ଏହାର ସୃତି ସ୍ୱରୂପ ଅଜ୍ଞାତ ବନବାସ ସମାପ୍ତି ପରେ ସେମାନେ ହସ୍ତୀନାପୁରକୁ ଫେରି ଯିବା ସମୟରେ ରେଢ଼ାଖୋଲ ଜଙ୍ଗଲରେ ପାଞ୍ଚଗୋଟି ଖଣ୍ଡା ଛାଡ଼ି ଦେଇ ଯାଇଥିଲେ । ସେହି ପାଞ୍ଚୋଟି ଖଣ୍ଡାକୁ ‘ପଞ୍ଚଖଣ୍ଡା’ ପୀଢ଼ରେ ଏବେ ପୂଜା କରା ଯାଉଛି-

 

ସାରଳା ମହାଭାରତରେ ଉଲ୍ଲେଖ ଅଛି ଯେ, ଧର୍ମରାଜା ଯୁଧିଷ୍ଠିର ମହାପ୍ରସ୍ଥାନ ପଥରେ ହରିସାହୁର ଉଆଁସୀ କନ୍ୟା ‘ସୁହାଣୀ’କୁ ବିବାହ କରି, ହରିସାହୁକୁ କନ୍ୟା ଦାଉରୁ ମୁକ୍ତ କରିଥିଲେ । ରେଢ଼ାଖୋଲର ‘ଧର୍ମପୁର’ଠାରେ ଏ ବିବାହ ହୋଇ ଥିବାର ବର୍ଣ୍ଣିତ ଅଛି ।

 

ରେଢ଼ାଖୋଲର ପର୍ବତମାଳା ମଧ୍ୟରେ ‘ସୁଆଣୀ’ ପର୍ବତ ମହାଭାରତର କାହାଣୀକୁ ମସ୍ତକରେ ଧାରଣ କରି ଏବେ ମଧ୍ୟ ଦଣ୍ଡାୟମାନ । ସୁଆଣୀ ପର୍ବତର ଶିଖର ଦେଶରେ “ସୁଆଣୀ ଦେବୀ” ଆଦିମ କାଳରୁ ପୂଜାପାଇ ଆସୁଛନ୍ତି ।

 

ପୁଣି ପାଣ୍ଡବମାନେ ଅଶ୍ୱପୃଷ୍ଠରେ ବସି ଭ୍ରମଣ କରୁଥିବା ସ୍ମୃତିକୁ ‘ଘୋଡ଼ାଡିଆଁ’ ସମ୍ପାଦି ରଖିଛି । ଏଠାରେ ଅଶ୍ୱର ଖୁରା ଚିହ୍ନ ରହିଛି ।

 

ହିତସରା ଓ ପାହାଡ଼ର ଦେଓଗାଁ ନିକଟରେ ପୁରୁଣା କୁରାଢ଼ୀ ଓ ପିତଳଗରା ରହିଛି । ଏହା ପଞ୍ଚପାଣ୍ଡବଙ୍କଦ୍ଵାରା ବ୍ୟବହୃତ ବୋଲି ସ୍ଥାନୀୟ ଆଧିବାସୀମାନେ କହନ୍ତି ।

 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପ୍ରଣେତା : ଗୋପାଳ ଚନ୍ଦ୍ର ପ୍ରହରାଜ)ରେ ରେଢ଼ାଖୋଲ ସମ୍ପର୍କରେ ଏକ ହାସ୍ୟୋଦ୍ଦୀପକ ଗଳ୍ପର ଅବତାରଣା କରାଯାଇଛି । ଉଲ୍ଲେଖ ଅଛିଯେ, ପୂର୍ବେ ସମ୍ବଲପୁର ରାଜାଙ୍କ ଅଧୀନରେ ଥିବା ଜମିଦାର ବା ସାମନ୍ତ ରାଜାମାନଙ୍କ ମଧ୍ୟରୁ ରେଢ଼ାଖୋଲର ଜମିଦାର, ରାଜାଙ୍କ ନିକଟକୁ କର ଦେବାକୁ ଆସିଲା ବେଳେ, ସେ ଅଧୀନତାର ଚିହ୍ନ ସ୍ୱରୂପ ରାଜାଙ୍କ ଆଗରେ କରୁଥିବା କୁମ୍ଭୀରପରି ଗତିକୁ (ଅର୍ଥାତ୍‍ ରେଢ଼ାଖୋଲର ଜମିଦାର ସର୍ବାଙ୍ଗରେ କାଦୁଅ ବୋଳି ହୋଇ, ଖଣ୍ଡେ ଦୂରରୁ ତଳେଶୋଇ ଲେଉଟି ଲେଉଟି ରାଜାଙ୍କ ଚରଣ ପର୍ଯ୍ୟନ୍ତ ଆସି ‘ନଜରନା’ ଦେଇ ସାରି ପରେ ଠିଆ ହେବା ରୀତିକୁ ମଗର ଲେଉଟ ବୋଲା ଯାଉଥିଲା ।

 

ରେଢ଼ାଖୋଲ ଜମିଦାର ପୂର୍ବ କାଳରେ ମଗର ଲେଉଟା ରୀତିରେ ସମ୍ବଲପୁର ରାଜାଙ୍କୁ ଖଜଣା ଦେଉଥିଲେ । କିନ୍ତୁ ଏହା ଏକ ଅସତ୍ୟ ଲୋକଗଢ଼ା କଥା ବୋଲି ମନେହୁଏ ।

Image

 

ଐତିହାସିକ ପୃଷ୍ଠଭୂମି

 

ଇତିହାସରୁ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ରେଢ଼ାଖୋଲ ରାଜ୍ୟ ସମ୍ବଲପୁର ରାଜ୍ୟର ସାମନ୍ତ ରାଜ୍ୟ ଥିଲା ।

 

ସପ୍ତଦଶ ଶତାବ୍ଦୀରେ ବଳୀୟାର ସିଂହ ଦେବ(୧୬୧୭–୧୬୫୭) ଓ ଛତ୍ରସିଂହ ଦେବ(୧୬୫୭–୧୬୯୫) ପର୍ଯ୍ୟାୟକ୍ରମେ ସମ୍ବଲପୁର ରାଜ୍ୟ ଶାସନ କରିଥିଲେ ।

 

ବଳୀୟାର ସିଂହ ଦେବଙ୍କ ସମୟରେ ତାଙ୍କ ସଭାର ପଣ୍ଡିତ କବି ଗଙ୍ଗାଧର ମିଶ୍ର ସଂସ୍କୃତ ଭାଷାରେ କୋଶଳାନନ୍ଦ କାବ୍ୟ ରଚନା କରିଥିଲେ ।

 

କୋଶଳାନନ୍ଦ କାବ୍ୟରେ ଉଲ୍ଲେଖ ଅଛି ଯେ, ସମ୍ବଲପୁର ରାଜା ବଳୀୟାର ସିଂହ ଦେବ ବଣାଇ ରାଜ୍ୟ ଜୟକରି ସମ୍ବଲପୁର ଅଠରଗଡ଼ଜାତ କାର୍ଯ୍ୟ ପୂର୍ଣ୍ଣ କରିଥିଲେ । ସେ ସମୟରେ ବଣେଇର ରାଜା ଥିଲେ ଇନ୍ଦ୍ର ଦେବ ଭଞ୍ଜ । ବଣେଇ ଏକ ଶକ୍ତିଶାଳୀ ରାଜ୍ୟ ଥିଲା । ଏହା ରେଢ଼ାଖୋଲ–ପାଲଲହଡ଼ା–ବଣେଇକୁ ନେଇ ଗଠିତ ହୋଇଥିଲା ।

 

ବଣାଇ ରାଜବଂଶର (କଦମ୍ବ ବଂଶ) ଏକ ଶାଖା ରେଢ଼ାଖୋଲ ରାଜ୍ୟକୁ ବଣାଇ ରାଜ୍ୟର ସାମନ୍ତ ରାଜାରୂପେ ଶାସନ କରୁଥିଲା ।

 

ବଣେଇ ବିଜୟଦ୍ଵାରା, ବଣେଇ ସମେତ ରେଢ଼ାଖୋଲ ମଧ୍ୟ ସମ୍ବଲପୁରର ସାମନ୍ତ ରାଜ୍ୟରେ ପରିଣତ ହୋଇଥିଲା ।

 

ବଳୀୟାର ସିଂହଙ୍କ ପରେ ଛତ୍ରସିଂହ ବା ଛତ୍ରସାହ ସମୃଦ୍ଧିଶାଳୀ ସମ୍ବଲପୁର ରାଜ୍ୟର ରାଜା ହେଲେ । ସେ ୧୬୫୭ ଠାରୁ ୧୬୯୫ ମସିହା ପର୍ଯ୍ୟନ୍ତ ସୁଦୀର୍ଘ ୩୮ ବର୍ଷ ରାଜୁତି କରିଥିଲେ । ସେ ମହାରାଜ ଛତ୍ରସାଏ ନାମରେ ପରିଚିତ ।

 

ତାଙ୍କ ସମୟରେ ଆୟୁର୍ବେଦ ବିଶାରଦ ‘ଗୋପୀନାଥ ଷଡ଼ଙ୍ଗୀ’ ଦରବାରର ରାଜବୈଦ୍ୟ ଥିଲେ ଏବଂ ‘ଚିକିତ୍ସା ମଞ୍ଜରୀ’ ନାମରେ ଏକ ଉତ୍କୃଷ୍ଟ ଚିକିତ୍ସା ଗ୍ରନ୍ଥ ପ୍ରଣୟନ କରିଥିଲେ ।

 

ଚିକତ୍ସା ମଞ୍ଜରୀ ଉଭୟ ସଂସ୍କୃତ ଓ ଓଡିଆ ଭାଷାରେ ରଚିତ ।

 

ଏହାଙ୍କ ପୂର୍ବରୁ ରାଜା ବଳିୟାର ସିଂହଙ୍କ ସମୟରେ ରାଜ କବି ଗଙ୍ଗାଧର ମିଶ୍ରଙ୍କଦ୍ଵାରା ସଂସ୍କୃତ ଭାଷାରେ କୋଶଳାନନ୍ଦ କାବ୍ୟ ରଚିତ ହୋଇଥିଲା ।

 

ଏଥିରୁ ପ୍ରତିପାଦିତ ହେବ ଯେ, ରାଜା ବଳୀୟାର ସିଂହଙ୍କ ପର୍ଯ୍ୟନ୍ତ ସମ୍ବଲପୁର ରାଜ୍ୟରେ ସଂସ୍କୃତର ବହୁଳ ଚର୍ଚ୍ଚା ଚାଲିଥିଲେ । କିନ୍ତୁ ଛତ୍ରସାଏଙ୍କ ରାଜୁତି ବେଳକୁ ଓଡ଼ିଆ ଭାଷାର ଅଧ୍ୟୟନ ଓ ଓଡ଼ିଆ ଭାଷାରେ ଗ୍ରନ୍ଥ ପ୍ରଣୟନ ହେବା ଦେଖାଗଲା ।

 

ଆଲୋଚ୍ୟ କବି ଭୀମାଧୀବର ଛତ୍ରସାଏଙ୍କ ରାଜୁତି ସମୟରେ ସମ୍ବଲପୁର ରାଜ୍ୟ ଅନ୍ତର୍ଗତ ରେଢ଼ାଖୋଲରେ କପଟପାଶା ଗ୍ରନ୍ଥ ପ୍ରଣୟନ କରିଥିଲେ । ସେ ରେଢ଼ାଖୋଲ ସବ୍‍ଭିଜନ୍‍ର ‘ବୁର୍‍ଡ଼ା’ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଜଣାଯାଏ ।

 

ସମ୍ବଲପୁର ରାଜା ବଳୀୟାର ସିଂହ ଦେବ ୧୬୧୭ ଠାରୁ ୧୬୫୭ ମସିହା ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ । ଏହି ସମୟରେ ରାଜକବି ଗଙ୍ଗାଧର ମିଶ୍ରଙ୍କଦ୍ଵାରା ସଂସ୍କୃତ ମହାକାବ୍ୟ ‘କୋଶଳାନନ୍ଦ’ ରଚିତ ହୋଇଥିଲା ପୁଣି ଏହି ସପ୍ତଦଶ ଶତାବ୍ଦୀରେ ସେହି ସମ୍ବଲପୁର ରାଜ୍ୟର ଏକ ସାମନ୍ତ ରାଜ୍ୟ ରେଢ଼ାଖୋଲରେ ଭୀମାଧୀବରଙ୍କଦ୍ଵାରା ଖାଣ୍ଟି ଓଡ଼ିଆ ଭାଷାରେ ‘କପଟପାଶା’ ରଚିତ ହେଲା । କୋଶଳାନନ୍ଦ ମହାକାବ୍ୟ ରାଜପୃଷ୍ଠପୋଷକତା ଲାଭ କରିଥିଲା । କିନ୍ତୁ ଉଲ୍ଲେଖନୀୟ ଯେ, କୋଶଳାନନ୍ଦ ମହାକାବ୍ୟର ଚର୍ଚ୍ଚା କେବଳ ରାଜ ଦରବାରର ପଣ୍ଡିତମାନଙ୍କ ମଧ୍ୟରେ ସୀମାବଦ୍ଧ ଥିବା ସ୍ଥଳେ, ଗଣକବି ଭୀମାଙ୍କଦ୍ଵାରା ରଚିତ ‘କପଟପାଶା’ ଗ୍ରନ୍ଥ ଓଡ଼ିଶାର ପୁରପଲ୍ଲୀ ତଥା ସହରରେ ବାସ କରୁଥିବା ପ୍ରତ୍ୟେକ ଗୃହସ୍ଥଙ୍କ ଗୃହରେ ପ୍ରବେଶ କଲା ।

 

ସେହି ସମୟରେ ସମ୍ବଲପୁର ରାଜ୍ୟରେ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାର ଚର୍ଚ୍ଚା ସମାନ୍ତରାଳ ଭାବରେ ଚାଲିଥିଲା । ସଂସ୍କୃତି ସଚେତନ ବ୍ୟକ୍ତିମାନେ ସଂସ୍କୃତ ଓ ଓଡ଼ିଆ ଭାଷାରେ ପାରଦର୍ଶିତା ଲାଭ କରିଥିଲେ । ସମ୍ବଲପୁର ରାଜ୍ୟରେ ଓଡ଼ିଆ ଭାଷା ଚର୍ଚ୍ଚା ଓ ସାଧନା ସୁଦୃଢ଼ ଥିଲେ ମଧ୍ୟ, ବିଦେଶୀ ଇଂରାଜୀ ଶାସକମାନେ ମନମୁଖୀ ଶାସନ ଚଳାଇ ଏ ରାଜ୍ୟରେ ‘ହିନ୍ଦୀ’ ଭାଷାକୁ କଚେରୀ ଭାଷାରୂପେ ପ୍ରଚଳନ କରାଇ ନେଇଥିଲେ ।

 

ଏହି ସମୟ ସୀମା ମଧ୍ୟରେ (ଆନୁମାନିକ କାଳ, ୧୬୮୬–୧୭୧୩) ‘ରସକଲ୍ଲୋଳ’, ‘ଆର୍ତ୍ତତ୍ରାଣ ଚଉତିଶା’ ଇତ୍ୟାଦିର ରଚୟିତା ଭକ୍ତକବି ଦୀନକୃଷ୍ଣ ଦାସ ଜଗନ୍ନାଥ ଧାମ ପୁରୀରେ ସାଧନାରତ ଥିଲେ ।

 

ଦୀନକୃଷ୍ଣଙ୍କ ରସକଲ୍ଲୋଳ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ (‘ବ’ ଆଦ୍ୟ ନିୟମ) ପରି ‘କ’ ଆଦ୍ୟ ନିୟମରେ ରଚିତ ହୋଇଥିଲେ ମଧ୍ୟ ଅପେକ୍ଷାକୃତ ଅଧିକ ସରଲ, ମଧୁର ଓ ଧ୍ୱନିମୟ ।

 

ଏଠାରେ ସ୍ମରଣ ରଖିବାକୁ ହେବ ଯେ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମଧ୍ୟ (ଶ୍ରୀ ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କ ମତାନୁସାରେ ଉପେନ୍ଦ୍ରଭଞ୍ଜଙ୍କ ଜନ୍ମ ୧୬୭୦ ଓ ମୃତ୍ୟୁ ୧୭୧୦ ଖ୍ରୀଷ୍ଟାବ୍ଦ) ଏହି ସପ୍ତଦଶ ଶତାବ୍ଦୀରେ ଶେଷ ପାଦରେ ସାଧନା ରତ ଥିଲେ ଓ ରୀତିଯୁଗୀୟ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଦାନରେ ଅଳଂକୃତ କରୁଥିଲେ ।

Image

 

ଉପସଂହାର

 

ପରିଶେଷରେ ବକ୍ତବ୍ୟ ଏହି ଯେ, ଭୀମାଧୀବର ଏକାଧାରରେ ଜଣେ କବି, ଶିକ୍ଷକ, ନୀତିଶାସ୍ତ୍ରବିଦ୍‍,ସାମାଜିକ ବିଧି ବ୍ୟବସ୍ଥାପକ ଥିଲେ ।

ସପ୍ତଦଶ ଶତାବ୍ଦୀରେ ଏହି ଅନାଲୋଚିତ କବି କେବଳ ‘କପଟପାଶା’ ଓ ‘ଭାରତ ସାବିତ୍ରୀ’ ଲେଖି ଯେ ଚୁପ୍‍ଚାପ୍‍ ବସି ରହିଥିବେ, ଏ କଥା ଭାବିଲେ ମନ ଭିତରେ ନାନା ପ୍ରଶ୍ନ ଦେଖାଦିଏ । ମନେହୁଏ, ଏହି ସୁନାମଧନ୍ୟ କବିଙ୍କର ଆହୁରି ଅନେକ ଅପ୍ରକାଶିତ ଗ୍ରନ୍ଥ ଏବେ ମଧ୍ୟ ଓଡ଼ିଶାର ପୁରପଲ୍ଲୀର ପୋଥି-ଗ୍ରନ୍ଥାଗାରରେ ଅବଶ୍ୟ ରହି ଯାଇଥିବ । ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଆବଶ୍ୟକ ।

କବିଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବିଶେଷ କିଛି ଜଣାପଡ଼ୁ ନାହିଁ । ଏକଥା ନିଶ୍ଚିତ ଯେ, ସେ ରେଢ଼ାଖୋଲ ସବ୍‍ଡିଭିଜନ୍‍ର ବୁର୍‍ଡ଼ା ଗ୍ରାମର ଏକ ଧୀବର ପରିବାରରେ ଜନ୍ମଗ୍ରହଣ କରିଥିବେ ଏବଂ ଏକ ନିମ୍ନ ମଧ୍ୟବିତ୍ତ ଗୃହସ୍ଥର ଦୀନଜୀବନ ଯାପନ କରିଥିବେ । ସହଜାତ କବି ପ୍ରତିଭା ତାଙ୍କୁ ଲେଖନୀ ଧରାଇ ‘କପଟପାଶା’ ଓ ତା’ ପରି ଆହୁରି ଅନେକ ଗ୍ରନ୍ଥ ରଚନା ସକାଶେ ପ୍ରେରଣା ଯୋଗାଇଥିବ । ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଅଭାବ ରହିଛି । ସାହିତ୍ୟିକ ଓ ଗବେଷକମାନେ ମନଦେଲେ, ଭୀମାଧୀବରଙ୍କ ବ୍ୟକ୍ତିଗତ ଜୀବନ ଓ ସୃଷ୍ଟି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରନନ୍ତା ।

‘କପଟପାଶା’ ନାମକରଣ ସମ୍ପର୍କରେ ବହୁ ତର୍କ ଶୁଣାଯାଏ । କପଟ ‘ପଶା’ ଖେଳ ବର୍ଣ୍ଣନା କରା ଯାଇଥିବାରୁ ଏହା ‘କପଟପାଶା’ ନାମ ବହନ କରିଥିବା କଥା କୁହାଯାଏ । ପୁଣି କପଟ ‘ପଶା’ ବା ବନ୍ଧନରେ ରାଜା ଯୁଧିଷ୍ଠିର ପଡ଼ି ଯାଇଥିବାରୁ ଭୀମାଧୀବର ଏହି ଗ୍ରନ୍ଥର ନାମ ‘କପଟପାଶା’ ରଖିଛନ୍ତି ବୋଲି ଯୁକ୍ତି କରା ଯାଇଥାଏ ।

ଓଡିଆ ସାହିତ୍ୟର ତିନି ‘ଭୀମ’ ଓ ଆର୍ତ୍ତବଲ୍ଲଭ ମହାନ୍ତି :

ଭୀମାଧୀବର, ଭୀମଦାସ ଓ ଭୀମ ଭୋଇ ନାମରେ ତିନିଜଣ ଭକ୍ତ କବି ତାଙ୍କ ଗ୍ରନ୍ଥଦ୍ୱାରା ଉତ୍କଳ ସାହିତ୍ୟର ପୁଷ୍ଟି ସାଧନ କରିଅଛନ୍ତି । ପ୍ରଥମ ଭୀମ ଜାତିରେ ଧୀବର, କପଟପାଶାର ଲେଖକ । ସେ ସରଲ ସହଜ ଓ ମନୋହର ଭାଷାରେ ତାଙ୍କ ଗ୍ରନ୍ଥ ଲେଖି ଉତ୍କଳର ସମସ୍ତ ସ୍ଥଳରେ ପରିଚିତ ଓ ଆଦୃତ ।

ଦ୍ଵିତୀୟ ଭୀମ ଜାତିରେ କରଣ–ସେ ଗୌଡ଼ୀୟ ବୈଷ୍ଣବମତାବଲମ୍ବୀ । ତାଙ୍କ ପ୍ରଣୀତ ଦୁଇଖଣ୍ଡ ବୈଷ୍ଣବଗ୍ରନ୍ଥ ‘ଭକ୍ତ ରତ୍ନାବଳୀ’ ଓ ‘ହରିଭକ୍ତି ଚନ୍ଦ୍ରୋଦୟ’ ବୈଷ୍ଣବ ଧର୍ମର ତତ୍ତ୍ଵ ପ୍ରକାଶ କରିଅଛି । କିନ୍ତୁ ତାହା ଧୀବର ଭୀମଙ୍କ କପଟପାଶା ପରି ଆଦୃତ ହୋଇ ପାରିନାହିଁ । XXX”

ତୃତୀୟ ଭୀମ ଜାତିରେ କନ୍ଧ– XXX । ସେ ତିନିଜଣଙ୍କ ମଧ୍ୟରେ ଶ୍ରେଷ୍ଠ; ପ୍ରକୃତରେ ସେ ଜଣେ ଭୀମକର୍ମା । XXX”

(ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ପ୍ରାଚୀ ଗ୍ରନ୍ଥମାଳା ସ୍ତୁତି ଚିନ୍ତାମଣି (୧୯୫୦)ର ଭୂମିକାରେ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ।)

Image